ୱାସିଂଟନ: ଆମେରିକାରେ ଭିଡିଓ ଆପ୍ ଟିକଟିକ୍ କାରବାର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଟ୍ରମ୍ପ ପ୍ରଶାସନ ପ୍ରସ୍ତୁତ। କିନ୍ତୁ ଟ୍ରମ୍ପଙ୍କ ବିରୋଧରେ ଲଢିବା ପାଇଁ ଅଣ୍ଟା ଭିଡିଛି ଟିକଟକ୍ । ଟିକଟକ୍ ଏକ ମାମଲା ରୁଜୁ କରିବାକୁ ଯୋଜନା କରିଛି ବୋଲି କମ୍ପାନୀ ଶନିବାର ସୂଚନା ଦେଇଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉଦବେଗ ପ୍ରକାଶ କରିବା ସହ ଅଗଷ୍ଟ 6ରେ 45 ଦିନ ମଧ୍ୟରେ ଟିକଟକକୁ ବ୍ୟାନ କରିବେ ବୋଲି କହିଥିଲେ । ଏହାପରେ ଟ୍ରମ୍ପ 90 ଦିନ ଡେଡଲାଇନ୍ ଦେଇଥିଲେ । ଏହାକୁ ନେଇ ଟିକଟକ ବିରୋଧ କରିବ ।
ଟିକଟକ ମୁଖପାତ୍ର ଏକ ବିବୃତ୍ତିରେ କହିଛନ୍ତି ଯେ, ପ୍ରଶାସନ କୌଣସି ତଥ୍ୟ ପ୍ରତି ଧ୍ୟାନ ଦେଇନାହିଁ । କେବଳ ଘରୋଇ ବ୍ୟବସାୟ ବୁଝାମଣାରେ କାର୍ଯ୍ୟ କରୁଛି । ଆଇନର ନିୟମକୁ ବେଖାତିର ନକରି ଆମ କମ୍ପାନୀ ଉପଭୋକ୍ତାଙ୍କୁ ନ୍ୟାୟ ଦେବ । ତେଣୁ ନ୍ୟାୟିକ ବ୍ୟବସ୍ଥା ମାଧ୍ୟମରେ କାର୍ଯ୍ୟନିର୍ବାହୀ ଆଦେଶକୁ ଚ୍ୟାଲେଞ୍ଜ କରିବା ବ୍ୟତୀତ ଆମର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ସେ କହିଛନ୍ତି ।
ତେବେ କେଉଁ ନ୍ୟାୟାଳୟରେ ସେ ଅପିଲ କରିବ ସେନେଇ ସୂଚନା ମିଳିପାରିନାହିଁ । ପ୍ରକାଶଥାଉକି, 1977 ମସିହାର ଏକ ନିୟମ ଅନୁଯାୟୀ ଟ୍ରମ୍ପ ଜାତୀୟ ଜରୁରୀକାଳିନ ସ୍ଥିତିକୁ ଦର୍ଶାଇ କୌଣସି ବ୍ୟାପାରକୁ ରଦ୍ଦ କରିପାରନ୍ତି । ଚାଇନା ଭିତ୍ତିକ ବାଇଟେଡାନ୍ସ ଲିମିଟେଡର ମାଲିକାନାରେ ଥିବା ଟିକଟକ ଆମେରିକା ସମେତ ଅନ୍ୟ କେତେକ ଦେଶରେ ଏହାର କାର୍ଯ୍ୟକଳାପ ଜାରି ରଖିଛି । ମାଇକ୍ରୋସଫ୍ଟ କର୍ପୋରେସନ୍ ଆମେରିକା, କାନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଟିକଟକର ବ୍ୟବସାୟ କିଣିବାକୁ ଆଗ୍ରହ ପ୍ରକାଶ କରିଛି । ଓରାକଲ୍ କର୍ପୋରେଟ୍ ଓ ଟ୍ବିଟର ସହିତ ଅନ୍ୟ କମ୍ପାନୀଗୁଡିକ ମଧ୍ୟ ସମ୍ଭାବ୍ୟ ବିଡର ଭାବରେ ଉଭା ହୋଇଛନ୍ତି |