ୱାଶିଂଟନ: ଆଫଗାନିସ୍ତାନରେ ଅସ୍ଥିରତା ମଧ୍ୟରେ ଧର୍ମ ସଙ୍କଟରେ ପଡିଯାଇଛି ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା । ୩୧ ଅଗଷ୍ଟ ସୁଦ୍ଧା ଆଫଗାନିସ୍ତାନରୁ ସମ୍ପୂର୍ଣ୍ଣ ସୈନ୍ୟପ୍ରତ୍ୟାହାର କଥା କହୁଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫସିଯାଇଛନ୍ତି । ଗୋଟିଏ ପକ୍ଷେ ଆଫଗାନିସ୍ତାନର ସ୍ଥିତିକୁ ଦେଖି ଆମେରିକା ସୈନ୍ୟଙ୍କୁ ଆଉ କିଛି ଦିନ ଏଠାରେ ରହିବାକୁ ଦିଆଯାଉ ବୋଲି ଦାବି ଉଠୁଥିବାବେଳେ, ସେପଟେ ତାଲିବାନ ଆମେରିକାକୁ ଦେଇଛି ଚେତାବନୀ ।
ତାଲିବାନର ଧମକରେ ପଛକୁ ହଟିବ ନା ବନ୍ଧୁ ଦେଶର ପରାମର୍ଶ ସ୍ବୀକାର କରିବ, ଏନେଇ ଆମେରିକା ସାମ୍ନାରେ ସଙ୍କଟ ସୃଷ୍ଟି ହୋଇଛି । ବାଇଡେନଙ୍କ ସାମ୍ନାରେ ଯେଉଁ ବଡ ସଙ୍କଟ ରହିଛି ତାହା ହେଉଛି, G-7 ଦେଶ ଗୁଡିକର ଚାପ । ଏହି ଚାପରେ ଯଦି କାବୁଲରେ ନିଜ ସୈନିକଙ୍କୁ ଆଉ କିଛି ଦିନ ଅଟକାଉଛି, ତାହେଲେ ବିମାନବନ୍ଦରରେ ଆମେରିକାକୁ ତାଲିବାନ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିବ ।
ପରିସ୍ଥିତି ଶାନ୍ତ ନ ପଡିବା ଯାଏଁ, କାବୁଲରେ ସୈନିକଙ୍କୁ ରୋକିବାକୁ ଆମେରିକା ଉପରେ ଚାପ ପ୍ରୟୋଗ କରୁଛନ୍ତି ଜି-୭ ଦେଶ । ଏହାରି ମଧ୍ୟରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଆଫଗାନିସ୍ତାନ ସଙ୍କଟ ଉପରେ ଜି-୭ ଦେଶ ଗୁଡିକର ଜରୁରୀ ବୈଠକ ଡକାଇଛନ୍ତି । ଉଦ୍ଧାର କାର୍ଯ୍ୟ ଶେଷ ନହେବା ଯାଏ ଏଠାରେ ଆମେରିକା ସୈନ୍ୟକୁ ରୋକିବାକୁ ବୈଠକରେ ବାଇଡେନଙ୍କ ଉପରେ ଚାପ ପ୍ରୟୋଗ ହୋଇପାରେ ।
ସେପଟେ ବାଇଡେନଙ୍କ କହିବାନୁଯାୟୀ, ୧୧ ସେପ୍ଟେମ୍ବର ସୁଦ୍ଧା ସମସ୍ତ ସୈନିକଙ୍କ ପ୍ରତ୍ୟାବର୍ତ୍ତନ କଥା କୁହାଯାଇଥିଲା । ଏହାପରେ ଏହି ଡେଡ୍ଲାଇନ ୩୧ ଅଗଷ୍ଟକୁ ଘୁଞ୍ଚିଥିଲା । ତାଲିବାନ କବଜା ପରେ ଆମେରିକା ୩୧ ଅଗଷ୍ଟ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଅପରେସନ ଶେଷ କରିବା ପାଇଁ ପ୍ରସ୍ତୁତ ରହିଛି । ହେଲେ ଯଦି ଆବଶ୍ୟକ ପଡେ ତାହେଲେ ଡେଡ୍ଲାଇନ ବଢାଇ ଦିଆଯାଇପାରେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ।
ଏପଟେ କିନ୍ତୁ ଆମେରିକା ସେନା ଥିବାରୁ ଦେଶରେ ଅସ୍ଥିରତା ସୃଷ୍ଟି ହେଉଥିବା ଦାୟୀ କରି ନାଲି ଆଖି ଦେଖାଉଛି ତାଲିବାନ । ଆମେରିକାକୁ ୩୧ ଅଗଷ୍ଟ ସୁଦ୍ଧା ସେନା ପ୍ରତ୍ୟାହାର କରିବାକୁ ହେବ ବୋଲି ସ୍ପଷ୍ଟ କରିଛି ତାଲିବାନ । ଯଦି ଏହା ନହୁଏ ତେବେ ଆମେରିକାକୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ତାଲିବାନ ଚେତାବନୀ ଦେଇଛି ।