ୱାଶିଂଟନ: ଗୁଳିକାଣ୍ଡରେ ଦୋହଲିଛି ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ । ମଙ୍ଗଳବାର ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନରେ ହୋଇଛି ଗୁଳିବର୍ଷା । ଏହି ଗୁଳିକାଣ୍ଡ ପେଣ୍ଟାଗନ ନିକଟସ୍ଥ ମେଟ୍ରୋ ଷ୍ଟେସନ ପାଖରେ ହୋଇଥିବା ଜଣାପଡିଛି ।
ଗୁଳିକାଣ୍ଡ ପରେ ପେଣ୍ଟାଗନର ଆଖପାଘ ଅଞ୍ଚଳକୁ କର୍ଡନ କରିଦିଆଯାଇଛି । ପେଣ୍ଟାଗନକୁ କରାଯାଇଛି ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା । ଘଟଣାରେ ଆଲିଙ୍ଗଟନ ଫାୟାର ଡିପାର୍ଟମେଣ୍ଟର କିଛି କର୍ମଚାରୀ ଆହତ ହୋଇଥିବା ସୂଚନା ମିଳିଛି ।
ପେଣ୍ଟାଗନ ଟ୍ରାଞ୍ଜିଟ୍ ସେଣ୍ଟରର ଅଂଶ ଥିବା ମେଟ୍ରୋ ବସ ପ୍ଲାଟଫର୍ମରେ ଏହି ଘଟଣା ଘଟିଛି ବୋଲି ପେଣ୍ଟାଗନ୍ ସୁରକ୍ଷା ଏଜେନ୍ସି ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । କେହି ଜଣେ ସନ୍ଦିଗ୍ଧ ପେଣ୍ଟାଗନ୍ ବିଲଡିଂ ନିକଟରେ ଅନେକ ରାଉଣ୍ଡ ଗୁଳି ଚଳାଇଥିବା କୁହାଯାଉଛି ।
ଘଟଣାର ଏକ ଘଣ୍ଟା ପରେ ପେଣ୍ଟାଗନ ପକ୍ଷରୁ ବୟାନ ସାମ୍ନାକୁ ଆସିଛି । ଘଟଣାସ୍ଥଳ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଇଛି । ମେଟ୍ରୋ ରେଳ ଏବଂ ବସ୍ ପ୍ଲାଟଫର୍ମ ଅଞ୍ଚଳଠାରୁ ଲୋକଙ୍କୁ ଦୂରରେ ରହିବାକୁ ଅନୁରୋଧ କରାଯାଇଛି । ପେଣ୍ଟାଗନ ଆଡକୁ ଆସୁଥିବା ଟ୍ରାଫିକ୍ ପେଣ୍ଟାଗନ୍ ସିଟିକୁ ଡାଇଭର୍ଟ କରାଯାଇଛି ।