ନ୍ୟୁୟର୍କ:କୋରୋନା ଭୂତାଣୁ ଦ୍ବାରା ସାରା ବିଶ୍ବ ପ୍ରଭାବିତ ହୋଇଥିବାବେଳେ ବର୍ତ୍ତମାନ ଆମେରିକା ସବୁଠୁ ଅଧିକ କ୍ଷତି ସହିଛି । ବିଶେଷ କରି ନ୍ୟୁୟର୍କରେ ଏହି ମହାମାରୀ ପ୍ରଳୟ ରଚିଛି । ଏହି ଷ୍ଟେଟରେ ଏବେ ଯାଏଁ 2 ଲକ୍ଷ 53 ହଜାର ଆକ୍ରାନ୍ତ ଓ 18 ହଜାରରୁ ଅଧିକ ମୃତ୍ୟୁ ହୋଇଛି । କେବଳ ନ୍ୟୁୟର୍କ ସହରରେ ସୋମବାର ସୁଦ୍ଧା 1 ଲକ୍ଷ 41 ହଜାର ଲୋକ ପଜିଟିଭ ଥିବା ଜଣାପଡିଛି ।
ତେବେ ବିଶ୍ବର ଅନ୍ୟତମ ବଡ ବାଣିଜ୍ୟ ସହରରେ ମୋଟ କେତେ ଲୋକ ଏହି ମହାମାରୀର ଶିକାର ହୋଇଛନ୍ତି ଏହା ଜାଣିବାକୁ ସ୍ଥାନୀୟ ସରକାର ଏକ ବଡ ଧରଣର କୋଭିଡ 19 ଆଣ୍ଟି ବଡି ଟେଷ୍ଟିଂ ଆରମ୍ଭ କରିଛନ୍ତି । ସୋମବାରଠାରୁ ଏହି ପରୀକ୍ଷା ଆରମ୍ଭ ହୋଇଛି । ସହରର ମୋଟ ଜନସଂଖ୍ୟା 19 ମିଲିୟନ ଥିବାବେଳେ ପ୍ରଥମ ଦିନ 3000 ସାମ୍ପଲରୁ ଟେଷ୍ଟିଂ ଆରମ୍ଭ ହୋଇଛି । ନ୍ୟୁୟର୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ପରୀକ୍ଷା କରାଯାଉଥିବା ଷ୍ଟେଟ ଗଭର୍ଣ୍ଣର ଆଣ୍ଡ୍ରୁ କ୍ୟୁମୋ କହିଛନ୍ତି ।
ସହରରେ ପରିସ୍ଥିତି ଅତ୍ୟନ୍ତ ଅସମ୍ଭାଳ ରହିଛି । ଆର୍ଥିକ ସ୍ଥିତି ଦୋହଲିଯାଇଥିବା ବେଳେ ସ୍କୁଲ ଓ କଲେଜ ବନ୍ଦ ରହିବା ଫଳରେ ପିଲାଙ୍କ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି । ସେହିପରି ଅତ୍ୟାବଶ୍ୟକୀୟ ସାମଗ୍ରୀରେ ଅଭାବ ଦେଖାଦେଇଛି । ଗଭର୍ଣ୍ଣର ଆଣ୍ଡ୍ରୁ ୱାଶିଂଟନ ଭଳି ବଡ ସହରକୁ ସାହାଯ୍ୟ ମାଗିଛନ୍ତି । ସାରା ସହରରେ ଅନେକ ଲୋକ ଏବେ ଯାଏଁ କୋରୋନା ଟେଷ୍ଟ କରିନାହାନ୍ତି । ଏମାନେ ସମସ୍ତେ କୋରୋନା ଆକ୍ରାନ୍ତ ଥିବା ଆଶା କରାଯାଉଛି । ମୋଟ ଜନସଂଖ୍ୟାର କେତେ କୋଭିଡ-19ର ଶିକାର ହୋଇଛନ୍ତି ତାହା ଜାଣିବାକୁ ଏପରି ଟେଷ୍ଟିଂର ଆୟୋଜନ ହୋଇଛି ।