ୱାଶିଂଟନ: ଇରାନରେ ୟୁକ୍ରେନର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ 176 ଜଣ ଲୋକ ପ୍ରାଣ ହରାଇଛନ୍ତି। ବିମାନଟି ଇରାନର ରାଜଧାନୀ ତେହରାନ ସ୍ଥିତ ଇମାମ ଖୁମୈନୀ ବିମାନବନ୍ଦର ନିକଟରୁ ଉଡାଣ ଭରିବାର କିଛି ସମୟ ପରେ ହିଁ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ପରେ ଏହା ତଳକୁ ଖସି ପଡିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା।
ଆମେରିକା ଓ ଇରାନ ମଧ୍ୟରେ ବଢିବାରେ ଲାଗିଛି ତିକ୍ତତା। ମେଜର ଜେନେରାଲ କସିମ ସୁଲେମାନୀର ମୃତ୍ୟୁର ବଦଲା ନେବା ପାଇଁ ଇରାନ ଏବେ ବାରମ୍ବାର ଆମେରିକାକୁ ଟାର୍ଗେଟ କରିବା ଆରମ୍ଭ କରିଥିବା କୁହାଯାଉଛି। ଏହି ଘଟଣାରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ 63 ନାଗରିକଙ୍କ ମୃତ୍ୟୁକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଏୟାର ମିଶାଇଲ ଦ୍ବାରା ବିମାନକୁ ଗୁଳିଚାଳନା ହୋଇଛି । ୟୁକେ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବଂ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ଏଘଟଣାରେ ସମାନ ମତ ରଖିଛନ୍ତି। ଏନେଇ ସେମାନେ କହିଛନ୍ତି, ଏହା ଆମେରିକା-ଇରାନ ମଧ୍ୟରେ ଆହୁରି ସମ୍ପର୍କରେ ଆହୁରି ତିକ୍ତତା ଆଣିଦେଇଛି।
ଏପଟେ ହ୍ବାଇଟ ହାଉସରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଇରାନ ଏହି ଘଟଣାରେ ଦାୟୀ। ଅନ୍ୟପଟେ ଇରାନ ଭୁଲ ବଶତଃ ହିଁ ମିସାଇଲ ମାଡ କରି ବିମାନକୁ ଧ୍ବଂସ କରିଦେଇଥିବା କୁହାଯାଇଛି। ଅନ୍ୟ ପଟେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଦୁର୍ଘଟଣା ହୋଇଥିବା ମଧ୍ୟ କୁହାଯାଉଛି।
ବୁଧବାର ସକାଳ 6ଟା 12 ମିନିଟ ସମୟରେ ହୋଇଥିଲା ଏହି ବିମାନ ଦୁର୍ଘଟଣା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଇରାନର ଉଦ୍ଧାରକାରୀ ଦଳ ବିମାନର ବ୍ଲାକବକ୍ସ ଠାବ କରିଥିଲେ ହେଁ ଏହାକୁ ବୋଇଂକୁ ଦେବେନାହିଁ ବୋଲି କହିଛନ୍ତି। ବ୍ଲାକବକ୍ସରେ ହିଁ ଦୁର୍ଘଟଣାର ସମସ୍ତ ତଥ୍ୟ ରହିଥାଏ। ଇରାନ ବ୍ଲାକବକ୍ସ ଦେବାକୁ ମନା କରିବାରୁ ମିସାଇଲ ମାଡ କରାଯାଇଥିବା ସନ୍ଦେହ କରାଯାଉଛି।
ଦୁର୍ଘଟଣାଗ୍ରସ୍ତ ଏହି ବୋଇଂ 737 ବିମାନଟି ୟୁକ୍ରେନ୍ ଇଣ୍ଟରନ୍ୟାସ୍ନାଲ୍ ଏୟାରଲାଇନ୍ସର। ଦୁର୍ଘଟଣା ବେଳେ ବିମାନଟି 8000 ଫୁଟ ଉଚ୍ଚରେ ଉଡ଼ୁଥିଲା। ଏହା ତଳକୁ ଖସି ପଡ଼ିବାରୁ ଏହା ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି। ବିମାନରେ 167 ଜଣ ଯାତ୍ରୀ ଓ ବିଭିନ୍ନ ଦେଶର 9ଜଣ କ୍ରୁ ସଦସ୍ୟ ରହିଥିଲେ। 82 ଜଣ ଇରାନର ନାଗରିକ, 11 ଜଣ ୟୁକ୍ରେନ ନାଗରିକ ଏବଂ କାନାଡା ବିଶ୍ବବିଦ୍ୟାଳୟର କିଛି ଆନ୍ତର୍ଜାତୀୟ ଛାତ୍ରଛାତ୍ରୀ ମଧ୍ୟ ଥିବା ଜଣାପଡିଛି।