ୱାଶିଂଟନ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ସୀମା ନନ୍ଦା ନିକଟରେ କରିଛନ୍ତି ଏକ ଚାଞ୍ଚଲ୍ୟକର ଘୋଷଣା । ଡେମୋକ୍ରାଟିକ ନ୍ୟାସନାଲ କମିଟି (ଡିଏନସି)ର ସିଇଓ ପଦ ସେ ଛାଡିବା କଥା ନିଜ ଟ୍ବିଟର ହ୍ୟାଣ୍ଡେଲରେ ଘୋଷଣା କରିଛନ୍ତି । ବୋଷ୍ଟନ କଲେଜ ଲ’ ସ୍କୁଲ ଓ ବ୍ରାଉନ ୟୁନିଭର୍ସିଟିରୁ ଶିକ୍ଷାଲାଭ କରି ସେ ଜୁନ 2018ରେ ଡିଏନସିର ସିଇଓ ଭାବେ ଦାୟିତ୍ବ ନେଇଥିଲେ ।
ମ୍ୟାରୀ ବେଥ କ୍ୟାହିଲଙ୍କ ଉତ୍ତରାଧିକାରୀ ଭାବେ ସେ ଏହି ପଦବୀର ଭାର ଗ୍ରହଣ କରିଥିଲେ । ଦାୟିତ୍ବ ଗ୍ରହଣର 2 ବର୍ଷ ମଧ୍ୟରେ ସ୍ଥାପନ କରିଥିବା ଆଧିପତ୍ୟ ପାଇଁ ନିଜକୁ ଗର୍ବିତ ଅନୁଭବ କରୁଥିବା କହି ସେ ଏହି ପଦବୀ ଛାଡୁଥିବା ପ୍ରକାଶ କରିଥିଲେ । ଅଧିକ ସୂଚନା ଦେଇ ସେ କହିଛନ୍ତି କି ଲୋକତନ୍ତ୍ର ପାଇଁ ତାଙ୍କର ଲଢେଇ ଜାରି ରହିବ । ତେବେ ଏହି ନିଷ୍ପତ୍ତି ପଛର ପ୍ରକୃତ କାରଣକୁ ଗୋପନ ରଖିବା ସହ ତାଙ୍କର ଆଗାମୀ ପଦକ୍ଷେପକୁ ମଧ୍ୟ ସୀମା ରହସ୍ୟ ଘେରରେ ରଖିଛନ୍ତି ।
ପ୍ରକାଶ ଯେ କ୍ୟାରିୟରର ପ୍ରାରମ୍ଭିକ ଦିନମାନଙ୍କରେ ଡିଏନସି ଚେୟାରମ୍ୟାନ ଟମ ପେରେଜଙ୍କ ସହଯୋଗରେ ସେ ଅନେକ ଦିନ କାର୍ଯ୍ୟ ଶିଖିଥିଲେ । ଉଭୟେ ଏକାଠି ତତ୍କାଳୀନ ପ୍ରଧାନମନ୍ତ୍ରୀ ବାରାକ ଓବାମାଙ୍କ ସମୟରେ ଶ୍ରମ ବିଭାଗ ପାଇଁ କାର୍ଯ୍ୟ ମଧ୍ୟ କରିଥିଲେ । ଚଳିତବର୍ଷ ନଭେମ୍ବରରେ ପ୍ରେସିଡେନ୍ସିଆଲ ନିର୍ବାଚନ ପରେ ପେରେଜଙ୍କ କାର୍ଯ୍ୟକାଳ ସମାପ୍ତ ହେବାକୁ ଥିବା ବେଳେ 2018 ମସିହାରେ ମିଳିଥିବା ସୁଯୋଗକୁ ସୀମା ଏକ ସ୍ବର୍ଣ୍ଣିମ ସୁଯୋଗ ବୋଲି କହି ଦାୟିତ୍ବ ଗ୍ରହଣ କରିଥିଲେ ।