ନ୍ୟୁୟର୍କ: ଭାରତୀୟ ବଂଶୋଦ୍ଭବ ଅରବିନ୍ଦ କ୍ରୀଷ୍ଣା ଇଣ୍ଟରନ୍ୟାସନାଲ ବିଜନେସ ମେସିନସ(IBM)ର ପରବର୍ତ୍ତୀ ସିଇଓ ନିଯୁକ୍ତ ହୋଇଛନ୍ତି । ସେ ଆସନ୍ତା ଏପ୍ରିଲ 6 ତାରିଖରେ ନିଜର କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର IBM ସିଇଓ ଥିବା ଭର୍ଜିନିଆ ରୋମେଟ୍ଟିଙ୍କ ପରେ ସେ ଏହି ପଦରେ ଅବସ୍ଥାପିତ ହେବେ । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।
57 ବର୍ଷୀୟ କ୍ରୀଷ୍ଣା ବର୍ତ୍ତମାନ IBMର କ୍ଲାଉଡ ଓ ଜ୍ଞାନଭିତ୍ତିକ ସଫ୍ଟୱେର ବିଭାଗରେ ବରିଷ୍ଠ ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି । ପୂର୍ବରୁ ସେ ସିଷ୍ଟମ ପ୍ରଯୁକ୍ତିବିଦ୍ୟାର ବିକାଶ ଓ ପ୍ରସ୍ତୁତି ବିଭାଗରେ କାର୍ଯ୍ୟ କରିଛନ୍ତି ।
ଅରବିନ୍ଦ କ୍ରୀଷ୍ଣା କାନପୁର ଆଇଆଇଟିରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ସହ ଇଲିନୋଇସ ବିଶ୍ବବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପିଏଚଡି ହାସଲ କରିଛନ୍ତି । ସେ 1990 ମସିହାରେ ଆଇବିଏମରେ ଯୋଗ ଦେଇଥିଲେ ।