ନୂଆଦିଲ୍ଲୀ: ସାରା ବିଶ୍ବରେ ଏବେ ବି ଜାରି ରହିଛି ମହାମାରୀ କୋରୋନା ସଙ୍କଟ । ସଂକ୍ରମଣ ବୃଦ୍ଧି ମଧ୍ୟରେ ଭ୍ୟାକ୍ସିନ ଉପରେ ରହିଛି ସମସ୍ତଙ୍କ ଆଶା । ତେବେ ବ୍ରିଟେନ ପରେ ଆମେରିକାରେ ମଧ୍ୟ ଆରମ୍ଭ ହୋଇଯାଇଛି ଟୀକା କରଣ । ଆମେରିକାରେ କୋରୋନା ଟୀକାର ପ୍ରଥମ ଡୋଜ ଦିଆଯାଇଛି । ଏନେଇ ଟ୍ବିଟ କରି ଆମେରିକା ଓ ବିଶ୍ବବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ନ୍ୟୁୟର୍କରେ ସ୍ବାସ୍ଥ୍ୟକର୍ମୀଙ୍କୁ ଫାଇଜରର ପ୍ରଥମ ଡୋଜ ଦିଆଯାଇଛି । ଆମେରିକା ଔଷଧ କମ୍ପାନୀ ଫାଇଜର ଓ ଜର୍ମାନୀର ବାୟୋଏନଟେକ ପକ୍ଷରୁ ବିକଶିତ କୋଭିଡ ଟୀକାକୁ ବର୍ତ୍ତମାନସୁଦ୍ଧା ବ୍ରିଟେନ, କାନାଡା, ବାହରିନ, ସିଙ୍ଗାପୁରରେ ଦିଆଯାଇସାରିଛି । ଆମେରିକାରେ ମଧ୍ୟ ଏହି ଟୀକାକୁ ମିଳିଥିଲା ମଞ୍ଜୁରୀ ।
ଡିସେମ୍ବର 8ରେ ବ୍ରିଟେନରେ ଆରମ୍ଭ ହୋଇଥିଲା ଟୀକାକରଣ । ଉତ୍ତର ଆୟାରଲାଣ୍ଡ୍ର ଜଣେ 90 ବର୍ଷୀୟ ମହିଳାଙ୍କୁ ଦିଆଯାଇଥିଲା ଫାଇଜର ଭ୍ୟାକ୍ସିନର ପ୍ରଥମ ଡୋଜ । ଏହି ମହିଳା ଜଣଙ୍କ ଫାଇଜର ଓ ବାୟୋଏନଟେକ କୋଭିଡ ଭ୍ୟାକ୍ସିନ ନେବାରେ ବିଶ୍ବର ପ୍ରଥମ ବ୍ୟକ୍ତି ଭାବରେ ରେକର୍ଡ ସୃଷ୍ଟି କରିଛନ୍ତି ।
ମହାମାରୀ ସଙ୍କଟ ମଧ୍ୟରେ ଫାଇଜର ଟୀକା ସାରା ବିଶ୍ବ ପାଇଁ ଆଶା ସଞ୍ଚାର କରିଥିବାବେଳେ ଏହାର ସଂରକ୍ଷଣ ଭାରତ ପାଇଁ ପାଲଟିଛି ବଡ ଚ୍ୟାଲେଞ୍ଜ । ଫାଇଜର ଭ୍ୟାକ୍ସିନକୁ -70 ଡିଗ୍ରୀ ସେଲସିୟସରେ ରହିପାରିବ । ଏଭଳି ସ୍ଥିତିରେ ଏହି ଟୀକା କେବେ ଭାରତ ପହଞ୍ଚିବ ଏନେଇ ରହିଛି ସମସ୍ତଙ୍କ ନଜର ।