ୱାଶିଂଟନ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୂର୍ବତନ ପ୍ରତିରକ୍ଷା ସଚିବ ମାର୍କ ଏସପର୍ଙ୍କୁ ବରଖାସ୍ତ କରିବା ପରେ ଏବେ ପେଣ୍ଟାଗନ୍ର ଅନ୍ୟ ଜଣେ ଅଧିକାରୀ ଇସ୍ତଫା ଦେଇଛନ୍ତି । ଫଳରେ ପ୍ରତିରକ୍ଷା ବିଭାଗରେ ଆଉ ଜଣେ ଉଚ୍ଚପଦସ୍ତ ଅଧିକାରୀଙ୍କ ସଂଖ୍ୟା କମିଛି । ଅବସରପ୍ରାପ୍ତ ନୌସେନା ଉପାଧ୍ୟକ୍ଷ ଜୋସେଫ୍ କର୍ଣ୍ଣନ ପ୍ରତିରକ୍ଷା ବିଭାଗର ଇଣ୍ଟେଲିଜେନ୍ସ ସେକ୍ରେଟାରୀ ତାଙ୍କ ପଦ ଛାଡିଛନ୍ତି ।
ଇସ୍ତଫା ଦେବା ପରେ ସେ ତାଙ୍କୁ କାର୍ଯ୍ୟରେ ସହଯୋଗ କରିଥିବା ଓ ଦେଶ ସେବା କରିବାକୁ ସୁଯୋଗ ମିଳିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତମେ ସମସ୍ତେ ମୋ ପରିବାର । ତୁମର ନିରନ୍ତର ପ୍ରତିବଦ୍ଧତା ଏବଂ ଗତ ତିନିବର୍ଷ ମଧ୍ୟରେ ମୋତେ ବ୍ୟକ୍ତିଗତ ଭାବରେ ସମର୍ଥନ କରିଥିବାରୁ ମୁଁ ଆପଣଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ସମସ୍ତଙ୍କ ସହ ସେବା କରିବା ମୋର ଗୌରବର ବିଷୟ । ମୁଁ ବହୁ ପୂର୍ବରୁ ଏହି ବିଦାୟ ଯୋଜନା କରିଛି ଏବଂ ମୁଁ ଜାଣେ ଯେ ଏହି ଜାତିର ସୁରକ୍ଷା ପାଇଁ ତୁମର ନିରନ୍ତର ଉତ୍ସର୍ଗୀକୃତ ପ୍ରୟାସ ଜାରି ରହିବ ବୋଲି କର୍ଣ୍ଣନ ତାଙ୍କ ସହକର୍ମୀଙ୍କୁ ଇସ୍ତଫା ଦେବା ପରେ ଏକ ବାର୍ତ୍ତାରେ କହିଛନ୍ତି ।
ତେବେ ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ ନିର୍ବାଚନର କିଛି ସମୟ ପରେ କର୍ଣ୍ଣନ ପ୍ରଶାସନ ଛାଡିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ତାଙ୍କ ପଦ ଛାଡିବା ନିଷ୍ପତ୍ତି ସମସ୍ତଙ୍କୁ ମର୍ମାହତ କରିଛି । ସେପଟେ ସୋମବାର ଟ୍ରମ୍ପ କହିଛନ୍ତି ଯେ ସେ ପ୍ରତିରକ୍ଷା ସଚିବ ଏସପରଙ୍କୁ ବହିଷ୍କାର କରିଛନ୍ତି । ଜାତୀୟ ଆତଙ୍କବାଦ ନିରୋଧୀ କେନ୍ଦ୍ରର ନିର୍ଦ୍ଦେଶକ ଖ୍ରୀଷ୍ଟୋଫର ସି ମିଲର କାର୍ଯ୍ୟକାରୀ ପ୍ରତିରକ୍ଷା ସଚିବ ହେବେ ବୋଲି ଘୋଷଣା କରିଛନ୍ତି । ଜେମ୍ସ ମ୍ୟାଟିଙ୍କ ସ୍ଥାନରେ ଏସପର୍ 2019 ରେ ପ୍ରତିରକ୍ଷା ସଚିବ ଭାବରେ ନିଯୁକ୍ତ ହୋଇଥିଲେ ।