ୱାଶିଂଟନ: ଆମେରିକାରେ ଥମିବାର ନାଁ ଧରୁନି କୋରୋନା ଝଡ । ପ୍ରତ୍ୟେକ ଦିନ ବହୁ ସଂଖ୍ୟାରେ ରେକର୍ଡ ହେବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ଏହି କାରଣରୁ ବିଶ୍ବର ଅନ୍ୟ ଦେଶ ତୁଳନାରେ ଆମେରିକାରେ କୋରୋନା ସଂକ୍ରମଣରେ ସର୍ବାଧିକ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ଦେଶରେ 25 ଲକ୍ଷ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା ।
ଜନ ହପକିନ୍ସ ଅନୁଯାୟୀ, ରବିବାର ଦେଶରେ 40 ହଜାର 502ଟି ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବାବେଳେ, ଏଥିରେ 285 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ପରିସ୍ଥିତିରେ ଆମେରିକା ଅପେକ୍ଷା ବ୍ରାଜିଲରେ ପ୍ରତିଦିନ ଅଧିକ ସଂକ୍ରମଣ ଓ ମୃତ୍ୟୁ ରେକର୍ଡ କରାଯାଉଛି।
ସୋମବାର ସକାଳ ସୁଦ୍ଧା ଆମେରିକାରେ କୋରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା 25 ଲକ୍ଷ 48 ହଜାର 996କୁ ବୃଦ୍ଧି ପାଇଛି। ଏଥିରେ ସମୁଦାୟ 1 ଲକ୍ଷ 25 ହଜାର 804 ଜଣଙ୍କର ମୃତ୍ୟୁ ହୋଇଛି । ସେହପିରି 10 ଲକ୍ଷ 93 ହଜାର ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି, ଯାହା ମୋଟ ସଂକ୍ରମିତଙ୍କ ମଧ୍ୟରୁ 41 ପ୍ରତିଶତ ଅଟେ। ଏହା ବାଦ 13 ଲକ୍ଷ 88 ହଜାରଟି ମାମଲା ସକ୍ରିୟ ରହିଛି ।
ସେହିପରି ଦେଶର ନ୍ୟୁୟର୍କ ସହରରେ ସର୍ବାଧିକ 4 ଲକ୍ଷ 16 ହଜାର 787ଟି ସଂକ୍ରମଣ ମାମଲା ରହିଛି । ସେଥିରୁ 31,397 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ, 70 ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ ମଧ୍ୟ ସୁସ୍ଥ ହୋଇଛନ୍ତି । ଏହାପରେ ନ୍ୟୁ ଜର୍ସି, କାର୍ଲିଫର୍ଣ୍ଣିଆ, ମାସାଚୁଏଟସ ଓ ଇଲିନୋଇସ ମଧ୍ୟ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।