ମୁମ୍ବାଇ : ରାଜ୍ୟଠୁ ନେଇ ଦେଶର ବିଭିନ୍ନ ଥିଏଟରରେ ବୁଧବାର ସକାଳୁ ରିଲିଜ ହୋଇଥିଲା ଶାହରୁଖ ଖାନ୍ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ପଠାନ୍ । ଏହାକୁ ଦେଖିବା ପାଇଁ ହଲ ସାମ୍ନାରେ ଜମିଥିଲା ନାହିଁନଥିବା ଦର୍ଶକଙ୍କ ଭିଡ଼ । ୪ ବର୍ଷ ପରେ ଫ୍ୟାନ୍ସଙ୍କ ନିକଟକୁ ଫେରିଛନ୍ତି କିଙ୍ଗ ଖାନ୍ ଶାହାରୁଖ । ପରଦାରେ ପ୍ରିୟ ଅଭିନେତାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ନାହିଁନଥିବା ଉତ୍ସାହ ଦେଖିବାକୁ ମିଳିଥିଲା । କିଏ ପଠାନ ପାଇଁ ସ୍ୱତନ୍ତ୍ର ପୋଷାକ ପିନ୍ଧି ଶାହାରୁଖଙ୍କ ଚିୟର ଅପ୍ କରୁଥିଲା ତ ପୁଣି କିଏ ବାଣ ଫୁଟାଇ ଖୁସି ପାଳିଛି ।
କେତେକ ସ୍ଥାନରେ କିଙ୍ଗ୍ ଖାନ୍ଙ୍କ ଆକାଶ ଛୁଆଁ ପୋଷ୍ଟର ଲାଗିଛି ତ ପୁଣି କେଉଁଠି ଅଭିନେତାଙ୍କ ଫଟୋ ଧରି ଥିଏଟରରେ ପହଞ୍ଚିଛନ୍ତି ପ୍ରଶଂସକ । ୪ ବର୍ଷ ପରେ ଶାହାରୁଖଙ୍କୁ ପରଦା ଉପରେ ଦେଖି ଖୁସି ହୋଇଥିଲେ ଦର୍ଶକ । ତେବେ ଗୋଟିଏ ପଟେ ପଠାନକୁ ଶାହାରୁଖଙ୍କ ପ୍ରଶଂସକ ଜୋରଦାର ସ୍ବାଗତ କରୁଥିବା ବେଳେ ଅନ୍ୟପଟେ ଫିଲ୍ମକୁ ଜୋରଦାର ବିରୋଧ ମଧ୍ୟ କରାଯାଇଛି । ବିଭିନ୍ନ ହିନ୍ଦୁ ସଂଗଠନ, ରାଜନୈତିକ ଦଳ ପଠାନକୁ ବିରୋଧ କରି ବିଭିନ୍ନ ଥିଏଟର ସମ୍ମୁଖରେ ହଙ୍ଗାମା କରୁଛନ୍ତି ।
କେଉଁଠି ଥିଏଟରୁ ହଟାଯାଉଛି ପଠାନର ପୋଷ୍ଟର ତ ପୁଣି କେଉଁଠି ଥିଏଟର ବାହାରେ ଚାଲିଛି ଭଙ୍ଗାରୁଜା । ପୋଡାଯାଉଛି ଶାହରୁଖ ଓ ଦୀପିକାଙ୍କ ଫଟୋ । ଯଜ୍ଞକୁଣ୍ଡରେ ଶାହାରୁଖଙ୍କ ଫଟୋ ପୋଡି ପଠାନକୁ ବିରୋଧ କରାଯାଇଛି । ଥିଏଟର ବାହାରେ ବିଭିନ୍ନ ହିନ୍ଦୁ ସଂଗଠନ ବିରୋଧ ପ୍ରଦର୍ଶନ କରିଛନ୍ତି । ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ମଧ୍ୟ ଜୋରଦାର ହଙ୍ଗାମା କରାଯାଇଛି । ଏପରିକି କିଛିଟା ଯାଗାରେ ଅପରେଟରମାନଙ୍କୁ ସକାଳ ୯ଟା ସୋ' ବାତିଲ କରିବାକୁ ପଡ଼ିଥିଲା । ଖାଲି ସେତିକି ନୁହେଁ ମହାରାଷ୍ଟ୍ରର ନବନିର୍ମାଣ ସେନାର ଫିଲ୍ମ ସେନା ମଧ୍ୟ ଏହି ଚଳଚ୍ଚିତ୍ରକୁ ବିରୋଧ କରିଛି । କିଛିଦିନ ପୂର୍ବରୁ ଅଭିନେତା ସ୍ବପ୍ନିଲ ଯୋଶୀ ଏବଂ ସୁବୋଧ ଭବଙ୍କ ଅଭିନୀତ 'ୱାଲଭି' ଏବଂ ରିତେଶ ଦେଶମୁଖ ଏବଂ ଜେନେଲିଆଙ୍କ ଅଭିନୀତ ଫିଲ୍ମ 'ୱେଡ' ସମେତ କିଛି ମରାଠୀ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଗୁଡିକକୁ ନେଇ ଫ୍ୟାନ୍ସ ଭଲ ରେଟିଂ ଦେଇଥିଲେ ।
ତେବେ ଆଜି ପଠାନ ରିଲିଜ ହେବା ସହିତ ଅନେକ ପ୍ରେକ୍ଷାଳୟ ପଠାନଙ୍କୁ ମରାଠୀ ଚଳଚ୍ଚିତ୍ରର ପରଦା ଦେଇଛନ୍ତି । ଯାହା ମରାଠୀ ଚଳଚ୍ଚିତ୍ର ଶିଳ୍ପକୁ ପ୍ରଭାବିତ କରିଛି । ଯେବେ ପଠାନର ପ୍ରଥମ ଗୀତ 'ବେସରମ ରଙ୍ଗ' ରିଲିଜ ହେଲା ସେବେଠୁ ଦେଖାଦେଇଛି ବିବାଦ । ଗୀତରେ ଦୀପିକା ପରିଧାନ କରିଥିବା ଗେରୁଆ ରଙ୍ଗ ଓ ସ୍ପଳ୍ପ ପୋଷାକକୁ ନେଇ ବିଭିନ୍ନ ହିନ୍ଦୁ ସଂଗଠନ ଆପତ୍ତି ପ୍ରକାଶ କରୁଛନ୍ତି । ସେପଟେ ସେନ୍ସର ବୋର୍ଡର ନିର୍ଦ୍ଦେଶ କ୍ରମେ କିଛି ଆପତ୍ତିଜନକ ଦୃଶ୍ୟ ହଟାଯାଇ ଏହାକୁ ରିଲିଜ କରାଯାଇଛି । ଗୋଟିଏ ପଟେ ବିବାଦ ଚାଲିଛି । ଅନ୍ୟପଟେ ଦର୍ଶକଙ୍କ ଉପରେ ପଠାନର ବେଶ କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି । ଏବେ ଅପେକ୍ଷା ଦେଖିବାକୁ ଆଗାମୀ ଦିନରେ ଶାହାରୁଖଙ୍କ ଏହି ଡ୍ରିମ୍ ପ୍ରୋଜେକ୍ଟକୁ କେତେଦୂର ସଫଳତା ମିଳୁଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ