ହାଇଦ୍ରାବାଦ: ଅଭିକା ଗୋର ଟିଭିର ଏକ ଲୋକପ୍ରିୟ ଚେହେରା । ଲୋକପ୍ରିୟ ଡ୍ରାମା ସିରିଏଲରେ ବାଲିକା ବଧୂ ଏବଂ 'ଶଶୁରାଲ ସିମର କା' ଭଳି ସୋ'ରେ ଅଭିନେତ୍ରୀ ନିଜ ଅଭିନୟର ଯାଦୁ ଦେଖାଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ବର୍ତ୍ତମାନ ଅଭିକା ଖୁବ୍ଶୀଘ୍ର ବଲିଉଡରେ 1920 ହରର ଅଫ ଦ ହାର୍ଟ' ସହ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଏବେ ଅଭିକା ସଲମାନ ତାଙ୍କ ଫିଲ୍ମରୁ ବାହାର କରିଦେବା ନେଇ ଏକ ବଡ଼ ଖୁଲାସା କରିଛନ୍ତି । କହିଲେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ସଲମାନଙ୍କ ଫିଲ୍ମରେ ଏଭଳି ହୋଇଛି ।
ଅଭିକା ଗୋରଙ୍କୁ ନିକଟରେ ସିଦ୍ଧାର୍ଥ କାନନଙ୍କ ୟୁଟ୍ୟୁବ୍ ସୋ’ରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ସେ ସଲମାନ ଖାନ୍ଙ୍କ ଫିଲ୍ମରେ ତାଙ୍କ ରୋଲ୍ ଓ ଫିଲ୍ମରୁ ବାହାରିବା ନେଇ କିଛି ମନ୍ତବ୍ୟ ଦେଇଛନ୍ତି । 'କିସି କା ଭାଇ କିସି କି ଜାନ' ନେଇ ସେ କହିଛନ୍ତି ଯେ, ସେ ଫିଲ୍ମକୁ ନା କରିନାହାନ୍ତି, କିନ୍ତୁ ଶେଷ ମୁହୂର୍ତ୍ତରେ ତାଙ୍କୁ ବାହାର କରି ଦିଆଯାଇଥିଲା । ଅଭିକା କହିଛନ୍ତି, 'ମୋତେ ଏହି ଫିଲ୍ମରେ ଏକ ଚରିତ୍ରରେ ଅଭିନୟ ପାଇଁ ନିଶ୍ଚିତ କରାଯାଇଥିଲା । କିନ୍ତୁ ଚୁକ୍ତିନାମା ସ୍ୱାକ୍ଷର କରିନଥିଲି। ପରଦିନ ଏହାକୁ ସାଇନ୍ କରିବାକୁ ଯାଉଥିଲି। ଏହି ସମୟରେ ଆମେ ଜାଣିବାକୁ ପାଇଲୁ ଯେ ଆଉ ଜଣେ କେହି ଏହି ଚରିତ୍ରରେ ଅଭିନୟ କରିବେ ।'
ସେ ଆହୁରି କହିଛନ୍ତି, “ଆମେ କେବଳ ଏକ କଲ୍ ପାଇଲୁ ଯେ ସେମାନେ ଅନ୍ୟ କାହା ସହିତ ସେ ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ମୁଁ ପରଦିନ ଆଗ୍ରିମେଣ୍ଟ୍ ସାଇନ୍ କରିବାକୁ ଯାଉଥିଲି ।" ଅଭିକା କହିଥିଲେ ଯେ ଏଭଳି କିଛି ହେବା ନେଇ ତାଙ୍କର ଆଶଙ୍କା ଥିଲା । ଏହାକୁ ନେଇ ସେ କହିଛନ୍ତି, “ସମାନ ଟିମ୍ ସହିତ ମୋର ସମାନ ଅନୁଭୂତି ରହି ଆସିଛି । ଅନ୍ୟ ଏକ ଫିଲ୍ମରେ କାଷ୍ଟ କରିବାକୁ କଥା ଦେଇ ଦୁଇ ସପ୍ତାହ ପୂର୍ବରୁ ଫୋନ୍ କରି କହିଥିଲେ ଯେ ସେମାନେ ଅନ୍ୟ କାହାକୁ କାଷ୍ଟ କରିଛନ୍ତି । ଠିକ ଅଛି, ସେମାନଙ୍କ ପାଖରେ ନିଶ୍ଚିତ କିିଛି କାରଣ ଥାଇପାରେ, ସେମାନେ ଭଲ ଭାବରେ ଜାଣିଥିବେ ।"
"ଫିଲ୍ମରୁ ଶେଷ ମୂହୁର୍ତ୍ତରେ ଫିଲ୍ମର କାଷ୍ଟ ବଦଳାଇବା ମୋତେ ବାଧିଛି । ସବୁରି ଶେଷରେ ମୁଁ ବି ଜଣେ ମଣିଷ । ଦ୍ବିତୀୟ ଥର ଏପରି ଘଟିବ ନାହିଁ ବୋଲି ମୁଁ ଆଶା କରୁଥିଲି । ଯାହା ସେମାନେ କରିଛନ୍ତି ତାହା ଭୁଲ୍ । ତେବେ ସେମାନେ କାହା ସହ କାମ କରିବେ କାହା ସହ ନୁହେଁ ତାହା ସେମାନଙ୍କ ନିଷ୍ପତ୍ତି ।" ୟୁଟ୍ୟୁବ୍ର ଏକ ସାକ୍ଷାତକାରରେ ଏହା କହିଛନ୍ତି ଅଭିକା ।
ଅଭିକା ଗୋର ଟିଭି ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଥିଲେ । ଅନେକ ହିଟ୍ ଫିଲ୍ମର ଅଂଶ ରହି ଆସିଛନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ବଲିଉଡରେ ପାଦ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ଖୁବ୍ ଶୀଘ୍ର କୃଷ୍ଣା ଭଟ୍ଟଙ୍କ ଫିଲ୍ମ '1920 ହରର ଅଫ ଦ ହାର୍ଟ'ରେ ସେ ନଜର ଆସିବେ ।