ବେଙ୍ଗାଲୁରୁ: ବଲିଉଡର ଲୋକପ୍ରିୟ ସିଙ୍ଗର କୈଳାଶ ଖେରଙ୍କ ଉପରେ ଆକ୍ରମଣ । ରବିବାର ଦିନ କର୍ଣ୍ଣାଟକରେ ଏକ ମ୍ୟୁଜିକ କନସର୍ଟ ଚାଲିଥିବା ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । କର୍ଣ୍ଣାଟକର ହାମ୍ପି ଉତ୍ସବରେ ଗୀତ ଗାଇବାକୁ ଯାଇଥିଲେ କୈଳାଶ ।
ସୂଚନାଅନୁସାରେ, କର୍ଣ୍ଣାଟକରେ ହାମ୍ପି ଉତ୍ସବ ଚାଲୁଥିବା ସମୟରେ ଗୀତ ଗାଇବା ପାଇଁ ଯାଇଥିଲେ ପଦ୍ମଶ୍ରୀ ଆଓ୍ବାର୍ଡରେ ସମ୍ମାନିତ ହୋଇଥିବା କୈଳାଶ ଖେର । ତେବେ ସେହି ଉତ୍ସବରେ କୈଳାଶ ଖେରଙ୍କ ସମେତ ଅନ୍ୟ ଗାୟକ, ଗାୟିକା ମଧ୍ୟ ଉପସ୍ଥିତ ରହିଥିଲେ । କୈଳାଖ ଖେରଙ୍କ ବ୍ୟତୀତ ଅର୍ଜୁନ ଜାନ୍ନାୟା, ବିଜୟ ପ୍ରକାଶ, ରଘୁ ଦୀକ୍ଷିତ, ଅରମାନ ମଲ୍ଲିକ ଭଳି ନାମୀଦାମୀ ଗାୟକ ଏହି ଉତ୍ସବରେ ସଙ୍ଗୀତ ପରିବେଶଣ କରିଥିଲେ । ଏହି ସମୟରେ ଦୁଇଜଣ ଯୁବକ କୈଳାଶଙ୍କ ଉପରକୁ ବୋତଲ ଫିଙ୍ଗିଥିଲେ । ତେବେ ଏହା ପଛର କାରଣ ଜଣାପଡିନଥିବା ବେଳେ କନ୍ସର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଘଟଣ ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି । ଆକ୍ରମଣରେ କୈଳାଶ ଖେରଙ୍କର କୌଣସି କ୍ଷତି ହୋଇନଥିବା ବେଳେ କିଛି ସମୟ ପରେ ପୁଣି କନସର୍ଟ ଆରମ୍ଭ ହୋଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଏହା ମଧ୍ୟ ପଢନ୍ତୁ: Pathaan box office: ପଠାନ କ୍ରେଜ, ଚାରି ଦିନରେ ୪୦୦ କୋଟିରୁ ଅଧିକ ଆୟ
ସୂଚନାଅନୁସାରେ, ଗତ ୨୭ ତାରିଖରେ ହାମ୍ପି ଉତ୍ସବ ଆରମ୍ଭ ହୋଇଥିବା ବେଳେ ଗତକାଲି ଶେଷ ସନ୍ଧ୍ୟା ଥିଲା । ଶେଷ ସଂଧ୍ୟାକୁ ରୋମାଞ୍ଚକର କରିବା ପାଇଁ ବହୁ ନାମୀଦାମୀ କଳାକାରଙ୍କୁ ନିମନ୍ତ୍ରଣ କରାଯାଇଥିଲା ଏବଂ ଲୋକମାନଙ୍କର ମଧ୍ୟ ଗହଳି ହୋଇଥିଲା । କର୍ଣ୍ଣାଟକର ପର୍ଯ୍ୟଟନ ମନ୍ତ୍ରୀ ଆନନ୍ଦ ସିଂ ଏହାର ଉଦଘାଟନ କରିଥିଲେ । ନୂଆ ବିଜୟନଗର ଜିଲ୍ଲା ଗଠନ ହେବା ପରଠାରୁ ଏହି ଉତ୍ସବ ହୋଇଆସୁଥିବା ସୂଚନା ରହିଛି । ଏହି ହାମ୍ପି ଉତ୍ସବରେ ଗାୟତ୍ରୀ ପୀଠ, ଏଡୁରୁ ବସବାନ୍ନ ବେଦିକେ, ହାମ୍ପି ବାରୁପାକ୍ଷେଶ୍ବର ବେଦୀକେ ଓ ସସୁବେକଲୁ ବେଦୀତେ ନାମରେ ୪ଟି ମଞ୍ଚ କରାଯାଇଥିଲା । ତେବେ ମଞ୍ଚଳରେ କୈଳାଶ କନଡ ଗୀତ ନଗାଇବାରୁ ଦୁଇ ଜଣ ବ୍ୟକ୍ତି ରାଗିଯାଇ ବୋତଲ ଫିଙ୍ଗି ଦେଇଥିବା କୁହାଯାଉଛି । ପୋଲିସ ଦୁଇଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛି । ତେବେ ଏନେଇ କୈଳାଖ ଖେରଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ