ହାଇଦ୍ରାବାଦ: ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ରୋମାଣ୍ଟିକ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ ହେବାର ପ୍ରଥମ ଦିନରୁ ଭଲ ପ୍ରଦର୍ଶନ କରିଆସୁଛି । ଫିଲ୍ମରେ ରଣଭୀର ଏବଂ ଆଲିଆଙ୍କ ଲଭ୍ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଏଥିସହ ଫିଲ୍ମ ତାର ରୋଜଗାରରେ ମଧ୍ୟ ଧମାକା କରିଛି । ପ୍ରଥମ ସପ୍ତାହ ଅପେକ୍ଷା ଦ୍ବିତୀୟ ସପ୍ତାହରେ ଫିଲ୍ମର ଆୟ ହ୍ରାସ ଘଟିଥିଲା । ହେଲେ ସପ୍ତାହ ଶେଷ ଆଡକୁ ଫିଲ୍ମ ପୁଣି ବମ୍ପର କଲେକ୍ସନ କରିଛି । 10 ଦିନ ମଧ୍ୟରେ ଫିଲ୍ମ 100କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ।
ଏହି ଚଳଚ୍ଚିତ୍ର ପ୍ରଥମ ସପ୍ତାହରେ ମୋଟ 73.33 କୋଟି ବ୍ୟବସାୟ କରିଥିଲା । ଦ୍ବିତୀୟ ସପ୍ତାହର ପ୍ରଥମ ଦିନଗୁଡିକରେ ଫିଲ୍ମର ଆୟରେ ହ୍ରାସ ଘଟିଥିବା ବେଳେ କିନ୍ତୁ ଶନିବାର ଏବଂ ରବିବାର ଛୁଟି ଦିନରେ ଫିଲ୍ମ ଭଲ ରୋଜଗାର ସହ 100କୋଟି କ୍ଲବରେ ସାମିଲ ହେବାକୁ ସକ୍ଷମ ହୋଇଛି। ଫିଲ୍ମଟି 9ମ ଦିନରେ ଅର୍ଥାତ ଦ୍ବିତୀୟ ଶନିବାରରେ 11.50 କୋଟି ରୋଜଗାର କରିଥିଲା, ଯାହା ପରେ ଫିଲ୍ମର ବକ୍ସ ଅଫିସ୍ ସଂଗ୍ରହ 9ମ ଦିନରେ 70.3% ବୃଦ୍ଧି ପାଇଥିଲା। । ରିପୋର୍ଟ ଅନୁଯାୟୀ, ଫିଲ୍ମ ଦଶମ ଦିନରେ ଅର୍ଥାତ୍ ଦ୍ୱିତୀୟ ରବିବାରରେ 13.50 କୋଟି ଟଙ୍କା ଆୟ କରିଛି। ଏହା ସହିତ ଏହି ଚଳଚ୍ଚିତ୍ରର ସଂଗ୍ରହ 105.08 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ଚଳିତ ବର୍ଷର କଲେକ୍ସନ ରେକର୍ଡ ସହ ରଣଭୀର ସିଂ ଏବଂ ଆଲିଆଙ୍କ ଏହି ଫିଲ୍ମ 100କୋଟି କ୍ଲବ୍ରେ ସାମିଲ ହେବାର ବଲିଉଡର 6ଷ୍ଠ ତମ ଫିଲ୍ମ ହୋଇପାରିଛି । ଚଳିତ ବର୍ଷର ରିଲିଜ ହୋଇଥିବା ଫିଲ୍ମ ମଧ୍ୟରେ ଶାହାରୁଖ ଖାନଙ୍କ ପଠାନ, ରଣବୀର କପୁର-ଶ୍ରଦ୍ଧା କପୁରଙ୍କ ରୋମାଣ୍ଟିକ କମେଡି ଫିଲ୍ମ ତୁ ଝୁଟି ମେନ୍ ମକ୍କାର, ଦ କେରଳ ଷ୍ଟୋରୀ, ସଲମାନ ଖାନଙ୍କ କିସି କା ଭାଇ କି ଜାନ ଏବଂ ଆଦିପୁରୁଷ ପରେ ରଣଭୀର ଆଲିଆଙ୍କ ଫିଲ୍ମ ରକି ଔର ରାନୀ କି ପ୍ରେମ କାହାନୀ 100କୋଟି କ୍ଲବରେ ସାମିଲ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ସ୍ବାମୀଙ୍କ ଫିଲ୍ମ ଦେଖି ସିନେମା ହଲ୍ରେ କାନ୍ଦିଲେ ଦୀପିକା, ଖୁଲାସା କଲେ ରଣଭୀର
ତେବେ ଆସନ୍ତା ଶୁକ୍ରବାର ଦିନ ଦୁଇଟି ବଲିଉଡ ଫିଲ୍ମ ଅକ୍ଷୟ କୁମାରଙ୍କ ଓଏମ୍ଜି-୨ ଏବଂ ସନ୍ନି ଦେଓଲଙ୍କ ଗଦର-2 ରିଲିଜ ହେବାକୁ ଯାଉଛି । ଏହାରି ମଧ୍ୟରେ ରକି ଔର ରାନୀଙ୍କ ଫିଲ୍ମ ଯଦି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିରଖେ ତେବେ ଫିଲ୍ମ ଭଲ ରୋଜଗାର ସହ ରେକର୍ଡ କରିପାରେ ବୋଲି ଅନୁମାନ କରାଯାଉଛି । କରଣ ଜୋହର ଏବଂ ଇଶିତା ମୈତ୍ରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଶଶାଙ୍କ ଖୈତାନ ଏବଂ ସୁମିତ ରୟ ଏହାକୁ ଲେଖିଛନ୍ତି । ଏହି ଚଳଚ୍ଚିତ୍ରଟି ଧର୍ମା ପ୍ରଡକ୍ସନ୍ସ ଏବଂ ଭାୟାକମ୍ 18 ଷ୍ଟୁଡିଓ ଦ୍ୱାରା ନିର୍ମିତ । ରଣଭୀର-ଆଲିଆଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ ଏବଂ ଶବାନା ଆଜମି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସୈଫ ଅଲି ଖାନଙ୍କ ପୁଅ ଇବ୍ରାହିମ ଅଲି ଖାନ ଏହି ଫିଲ୍ମରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।