କାନାଡା: ଦୁର୍ଘଟଣାର ଶିକାର ହେଲେ ବଲିଉଡ ଅଭିନେତ୍ରୀ ରମ୍ଭା (Actress Rambha Car Accident In Canada) । ଘଟଣା ସମୟରେ ସେହି କାରରେ ତାଙ୍କ ପିଲା ଏବଂ ଆଇ ମଧ୍ୟ ଉପସ୍ଥିତ ଥିଲେ । ତେବେ ଏହି ଦୁର୍ଘଟଣାରେ କେହି ଗୁରୁତର ଆହତ ହୋଇନାହାଁନ୍ତି । କିନ୍ତୁ, ଅଭିନେତ୍ରୀଙ୍କ ଝିଅ ଶଶା ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି କାରଣରୁ ଅଭିନେତ୍ରୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ତାଙ୍କ ଝିଅ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଦୁଃଖଦ ଖବର ବିଷୟରେ ସୂଚନା ଦେଇ ସୋସିଆଲ ମିଡିଆରେ ରମ୍ଭା ଏହି ପୋଷ୍ଟ ସେୟାର କରିଛନ୍ତି । ଇନଷ୍ଟାଗ୍ରାମରେ ଅଭିନେତ୍ରୀଙ୍କ ଦ୍ୱାରା ସେୟାର କରାଯାଇଥିବା ଫଟୋଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ତାଙ୍କ ଝିଅ, ଯିଏକି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଥିସହିତ, ଦ୍ୱିତୀୟ ଏବଂ ତୃତୀୟ ଫଟୋ କାର୍ର, ଯାହା ଦୁର୍ଘଟଣା ପରେ କ୍ଷତିଗ୍ରସ୍ତ ହୋଇଛି ।
ପୋଷ୍ଟ ସେୟାର କରି ରମ୍ଭା ଲେଖିଛନ୍ତି, "ପିଲାମାନଙ୍କୁ ସ୍କୁଲରୁ ନେବାକୁ ଯାଇଥିଲୁ, ଫେରିବା ବାଟରେ ଆମ କାରକୁ ଅନ୍ୟ ଏକ କାର ପଛରୁ ଧକ୍କା ଦେଇଥିଲା । ପିଲାଙ୍କ ସହିତ ମୋତେ ଏବଂ ମୋ ମାଆଙ୍କୁ ସାମାନ୍ୟ ଆଘାତ ଲାଗିଛି । କିନ୍ତୁ ଆମେ ସୁରକ୍ଷିତ ଅଛୁ, ମୋର ଛୋଟ ଶଶା ଏବେ ବି ଡାକ୍ତରଖାନାରେ ଅଛି । ଖରାପ ଦିନ, ଖରାପ ସମୟ । ଦୟାକରି ଆମ ପାଇଁ ପ୍ରାର୍ଥନା କରନ୍ତୁ ।"
ଉଲ୍ଲେଖନୀୟ ଯେ, ରମ୍ଭାଙ୍କର ପ୍ରକୃତ ନାମ ହେଉଛି ବିଜୟଲକ୍ଷ୍ମୀ । ସେ ତାଙ୍କ ସମୟରେ 100 ରୁ ଅଧିକ ଦକ୍ଷିଣ ଭାରତୀୟ ଏବଂ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ବଡ଼ ପରଦାରେ ଚିରଞ୍ଜୀବୀ, ରଜନୀକାନ୍ତ, ସଲମାନ ଖାନ, ଅନିଲ କପୁର, ଅକ୍ଷୟ କୁମାର, ଅଜୟ ଦେବଗନ, ସୁନୀଲ ଶେଟ୍ଟୀ, କମଲ ହାସନ, ଗୋବିନ୍ଦା ଇତ୍ୟାଦି ଲୋକପ୍ରିୟ ହିରୋଙ୍କ ହିରୋଇନ୍ ହୋଇପାରିଛନ୍ତି । ପ୍ରକାଶ ଥାଉକି, 2010 ରେ ବ୍ୟବସାୟୀ ଇନ୍ଦ୍ରନ୍ ପଦ୍ମନାଥନଙ୍କୁ ବିବାହ କରିବା ପରେ ରମ୍ଭା ବଲିଉଡକୁ ବିଦାୟ ଦେଇ ତାଙ୍କ ସ୍ୱାମୀଙ୍କ ସହ କାନାଡା ରହିଥିଲେ । ଅଭିନେତ୍ରୀ ରମ୍ଭା ତିନି ସନ୍ତାନର ମାଆ ଅଟନ୍ତି ।