ହାଇଦ୍ରାବାଦ: ବିବାହର 11ବର୍ଷ ପରେ ପିତାମାତା ହୋଇଛନ୍ତି ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ପତ୍ନୀ ଉପାସନା । ଆଜି ଉଭୟ ତାଙ୍କର ପ୍ରଥମ ଶିଶୁକୁ ସ୍ବାଗତ କରିଛନ୍ତି । ଦୀର୍ଘ ଦିନ ଧରି ଚିରଞ୍ଜୀବୀ ପରିବାର ଏହି ବିଶେଷ ମୁହୂର୍ତ୍ତକୁ ଅପେକ୍ଷା କରିଥିଲେ । ଏହି ଖବର ଶୁଣି ପୁରା ପରିବାରରେ ଖୁସିର ଲହରୀ ଖେଳିଯାଇଛି । ସେପଟେ ଫ୍ୟାନ୍ସ ଏବଂ ଅନେକ ତାରକା ମଧ୍ୟ ଏହି ଖବର ଶୁଣି ଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ରାମ ଚରଣଙ୍କ ପତ୍ନୀ ଉପାସନା ଆଜି(ଜୁନ 20) ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଏକ ସୁନ୍ଦର ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବିବାହର 11 ବର୍ଷ ପରେ ଉଭୟ ପିତାମାତା ହୋଇଛନ୍ତି । ରିପୋର୍ଟ ଅନୁଯାୟୀ, ଶିଶୁ ଏବଂ ମା’ ସୁସ୍ଥ ଅଛନ୍ତି । ମେଗାଷ୍ଟାର ଚିରଞ୍ଜୀବୀ ଏବଂ ତାଙ୍କ ପତ୍ନୀ ସୁରେଖା ଏବଂ କାମିନେନି ପରିବାର ଏକ ନୂତନ ସଦସ୍ୟଙ୍କୁ ସ୍ୱାଗତ କରି ଆନନ୍ଦିତ ହୋଇଛନ୍ତି । ଗତ ବର୍ଷ ଡିସେମ୍ବରରେ ରାମ ଚରଣ ଏବଂ ଉପାସନା ଘୋଷଣା କରିଥିଲେ ଯେ, ସେମାନେ ଶୀଘ୍ର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ଯାଉଛନ୍ତି । ଏଥିସହ ଉଭୟ ଗର୍ଭଧାରଣ ସମୟରେ ଅନେକ ସହର ଏବଂ ଦେଶ ଭ୍ରମଣ କରିଥିଲେ ।
ଗତକାଲି ରାମ ଚରଣ ଏବଂ ଉପସାନା ଡାକ୍ତରଖାନା ଯାଉଥିବା ଦେଖାଯାଇଥିଲା । ଉଭୟ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲକୁ ଯାଉଥିବାର ନଜର ଆସିଥିଲେ । ଏହି ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଆଜି ଶେଷରେ ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେଇଥିଲେ । ଏହି ଖବର ଶୁଣି ପରିବାର ମଧ୍ୟରେ ତଥା ଅଭିନେତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନା ଥାଉ କି, ଜୁନ 14ରେ ରାମ ଚରଣ ଏବଂ ଉପସାନା ସେମାନଙ୍କର 11ତମ ବିବାହ ବାର୍ଷିକୀ ପାଳନ କରିଥିଲେ । ରାମ ଚରଣ ଏବଂ ଉପାସାନା 14 ଜୁନ୍ 2012ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସେପଟେ 'RRR' ତାରକା ରାମ ଚରଣଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରାମ ଚରଣ ଆଗାମୀ ତାମିଲ-ତେଲୁଗୁ ଦ୍ୱିଭାଷୀ ଫିଲ୍ମ 'ଗେମ୍ ଚେଞ୍ଜର'ରେ ନଜର ଆସିବେ । ଏହି ଫିଲ୍ମରେ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ ତାଙ୍କ ବିପକ୍ଷରେ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଏସ. ଶଙ୍କର । ଏହି ଫିଲ୍ମ ମକର ସଂକ୍ରାନ୍ତି 2024 ଅବସରରେ ରିଲିଜ କରିବ ବୋଲି କୁହାଯାଉଛି । ଏହି ଫିଲ୍ମ ମଧ୍ୟ RRR ଭଳି ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ।