ହାଇଦ୍ରାବାଦ: ଏଥର ଦିଲ୍ଲୀର ପ୍ରସିଦ୍ଧ ଲବ କୁଶ ରାମଲୀଲାରେ (Lav Kush Ramleela) ଦକ୍ଷିଣ ଚଳଚ୍ଚିତ୍ରର ସୁପରଷ୍ଟାର ପ୍ରଭାସ ନଜର ଆସିବେ । ସୁପରଷ୍ଟାର ପ୍ରଭାସ ଚଳିତ ବର୍ଷ ରାମଲୀଲାରେ ରାବଣର ପୁତ୍ତଳିକା ଦହନ କରିବେ । ପ୍ରତିବର୍ଷ ପରି, ଚଳିତ ବର୍ଷ ମଧ୍ୟ ଲବ କୁଶ ରାମଲୀଲା କମିଟି ୨୬ ସେପ୍ଟେମ୍ବରରୁ ଦିଲ୍ଲୀରେ ଦଶହରା ମହୋତ୍ସବ ସମୟରେ ରାମଲୀଲା ଆୟୋଜନ କରିବ ।
ଉଲ୍ଲେଖନୀୟ ଯେ, ପ୍ରତିବର୍ଷ ହଜାର ହଜାର ଲୋକ ମଧ୍ୟ ଏହି ରାମଲୀଲା ଦେଖିବା ପାଇଁ ଆସନ୍ତି । ଏହି କମିଟି ପ୍ରତିବର୍ଷ ଏକ ନୂଆ ଥିମ୍ ସହିତ ପେଣ୍ଡାଲ୍ ତିଆରି ପାଇଁ ମଧ୍ୟ ଜଣାଶୁଣା । ଏଥର ଲାଲ୍କିଲ୍ଲା ପଡିଆରେ ଏହି କମିଟି ଅଯୋଧ୍ୟାର ରାମ ମନ୍ଦିର ଥିମ୍ ଉପରେ ଏକ ପେଣ୍ଡାଲ୍ ନିର୍ମାଣ କରିବ। ବିଜୟାଦଶମୀ ଅର୍ଥାତ ୫ ଅକ୍ଟୋବରରେ ଅଭିନେତା ପ୍ରଭାସ ଏହି ମହୋତ୍ସବରେ ଯୋଗଦେବେ ।
ନ୍ୟୁଜ୍ ଏଜେନ୍ସି ANI ସହିତ କଥାବାର୍ତ୍ତା କରୁଥିବାବେଳେ କମିଟିର ମୁଖ୍ୟ ଅର୍ଜୁନ କୁମାର ରାମଲୀଲାକୁ ନେଇ ବହୁତ ଉତ୍ସାହିତ ଥିଲେ । ସେ କହିଛନ୍ତି ଯେ, "ପ୍ରଭାସ ତାଙ୍କ ଆଗାମୀ ଚଳଚ୍ଚିତ୍ର ଆଦି ପୁରୁଷରେ ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତିନୋଟି ପୁତ୍ତଳିକା ହେବ। ଏଥିମଧ୍ୟରେ ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦ ଅନ୍ତର୍ଭୁକ୍ତ । ପ୍ରଭାସ ଧନୁତୀର ଚଳାଇ ସମସ୍ତଙ୍କୁ ଜାଳିବେ । ଏହି ବର୍ଷ ଏହି ପୁତ୍ତଳିକାର ଉଚ୍ଚତା ୧୦୦ ଫୁଟ ରହିବ ।"
ଏହାପୂର୍ବରୁ ଅଭିନେତା ଅଜୟ ଦେବଗନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ କମିଟିର ଏହି ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି ପର୍ବ ବିଷୟରେ ସେ କହିଛନ୍ତି ଯେ, "ଏହି ୧୦ ଦିନିଆ ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୫ ଅକ୍ଟୋବରରେ ଶେଷ ହେବ । ବିଶ୍ୱାସ ରହିଛି ଯେ, ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ଭାବେ ବିଜୟାଦଶମୀ ପର୍ବ ପାଳନ କରାଯାଇଥାଏ । ନଅ ଦିନ ଧରି ମା’ ଭଗବତୀଙ୍କର ଆରାଧନା ଶେଷ ହେବାର ପର ଦିନ ଦଶହରା ଉତ୍ସବ ପାଳନ କରାଯାଇଥାଏ ।"
ପୁରାଣ ଅନୁଯାୟୀ ଏହି ଦିନ ଭଗବାନ ରାମଚନ୍ଦ୍ର ଲଙ୍କାଧିପତି ରାବଣର ବଦ୍ଧ କରି ମା’ ସୀତାଙ୍କୁ ମୁକୁଳାଇ ଆଣିଥିଲେ । ଭାରତୀୟ ସଂସ୍କୃତି ଅନୁଯାୟୀ ରାମଙ୍କୁ କେବଳ ଆରାଧ୍ୟ ଦେବତା ଭାବେ ନୁହେଁ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ମଧ୍ୟ ଧରାଯାଇଥାଏ । ହିନ୍ଦୁ ଧର୍ମରେ ଦଶହରାର ଏକ ବିଶେଷ ମହତ୍ତ୍ୱ ମଧ୍ୟ ରହିଛି । ତେଣୁ ଲୋକମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସରେ ପାଳନ କରନ୍ତି ।