ହାଇଦ୍ରାବାଦ: ଏମିତି କେହି ଓଡିଆ ନାହାନ୍ତି, ଯିଏ ତାଙ୍କ ଭଜନ ଶୁଣିନାହାନ୍ତି । ଏମିତି କେଉଁ ମନ୍ଦିର ବି ନାହିଁ, ଯେଉଁଠି ତାଙ୍କର ପ୍ରାର୍ଥନା ଉଚ୍ଚାରିତ ନହୋଇଛି । କାହିଁକି ନା ଠାକୁରଙ୍କ ପାଇଁ ସେ ଥିଲେ ଭାବର ଗାୟକ । ତାଙ୍କ କଣ୍ଠରେ ଥିଲା କେବଳ ଭକ୍ତି ଆଉ ଭାବ, ମନରେ ଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବନା । ମହାପ୍ରଭୁଙ୍କ ନିକଟରେ ଏହିପରି ଭାବ ଆଉ ଭକ୍ତିର ଗୀତ ଗାଉ ଗାଉ ଭିକାରୀ ବଳରୁ ସାଜିଲେ ‘ଭଜନ ସମ୍ରାଟ’ । ଆଜି ଏହି ‘ଭଜନ ସମ୍ରାଟ’ ଭିକାରୀ ବଳଙ୍କ ଜନ୍ମ ବାର୍ଷିକୀ ।
1929 ମେ 25 ତାରିଖ ଆଜିର ଦିନରେ କେନ୍ଦ୍ରପଡା ସ୍ଥିତ ସୋବଳା ଗାଁରେ ଜନ୍ମଗ୍ରହଣ କରିଥିଲେ ଏହି ମହାନ୍ ଗାୟକ । ସ୍ବର ସଙ୍ଗୀତର ସାରସ୍ବତ ସାଧକ ଶ୍ରୀଯୁକ୍ତ ବଳଙ୍କ ପ୍ରତି ପିଲାଟି ଦିନରୁ ଭାଗ୍ୟଲକ୍ଷ୍ମୀ ବିମୁଖ ଥିଲେ । ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ତାଙ୍କର ଜୀବନ ରଥ କିନ୍ତୁ ଅଟକି ଯାଇନଥିଲା । ନବମ ଶ୍ରେଣୀରୁ କଲମ ଛାଡି ସେ ହାତରେ ଧରିଥିଲେ ହାରମୋନିୟମ । ଶୈଶବରୁ ସଙ୍ଗୀତ ଥିଲା ଭିକାରୀ ବଳଙ୍କ ଜୀବନ ଓ ପ୍ରାଣ । ଓଡିଶୀ ସଙ୍ଗୀତର ଅହେତୁକ ଆକର୍ଷଣରେ ସେ ଟାଣି ହୋଇ ଯାଇଥିଲେ କଟକ କଳାବିକାଶ କେନ୍ଦ୍ରକୁ । ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରି 'ପ୍ରାଣ ମିତଣି ବାରେ ଚାହାଁରେ' ଗୀତ ଗାଇ ସାଉଁଟି ଥିଲେ ପ୍ରଚୁର ଲୋକପ୍ରିୟତା । ସେ ପାରମ୍ପରିକ ଓଡ଼ିଶୀ ସଙ୍ଗୀତର ବିଭିନ୍ନ ବିଭାଗ, ଯଥା ଚଉପଦୀ, ଛାନ୍ଦ, ଚମ୍ପୂ, ଚଉତିଶା, ଭଜନ, ଜଣାଣ, ଇତ୍ୟାଦି ସଙ୍ଗେ ସଙ୍ଗେ ପଲ୍ଲୀଗୀତ, ଆଧୁନିକ ଗୀତ ରେକର୍ଡ଼ କରିଛନ୍ତି ।
ଭିକାରୀ ବଳ ଅନେକ ସୁପରିଚିତ ସଙ୍ଗୀତରେ କଣ୍ଠଦାନ କରିଛନ୍ତି । ସେଗୁଡ଼ିକ ହେଲା, କୋଠ ଭୋଗଖିଆ, ଜଗନ୍ନାଥ ହେ କିଛି ମାଗୁନାହିଁ ତୋତେ, ଭଜୁ କି ନା ରାମ ନାମ, ଭକତ ବିଦୂର ଶାଗ ଭଜା ଦେଇ, ହାତରେ ମୋ ମୁଠା ମୁଠା ଶରଧା ବାଲି, ତୋର ସାଆନ୍ତପଣକୁ କିଏ ସରିକି, ଶ୍ରୀକ୍ଷେତ୍ରେ କରିଛି ଘର କାଳିଆ ମୋ ବନ୍ଧୁ, ଅଜା ଥାଉ ଥାଉ ନାତି ଯାଏ ଚାଲି, ତୋତେ ବାହୁଡ଼େଇ ନେବି ଆସିଛି, ତୋ ଦାଣ୍ଡଧୁଳି ମୁଁ ନହେଲେ ନାହିଁ। ସେହିପରି, ୧୯୮୩ ମସିହାରେ ଅଭିଳାଷ, ୧୯୮୩ରେ ଭକ୍ତ ସାଲବେଗ, ୧୯୮୦ରେ ଅଗ୍ନି ପରୀକ୍ଷା , ୧୯୮୦ରେ ଅପରିଚିତା, ୧୯୭୯ରେ ମଥୁରା ବିଜୟ, ୧୯୭୯ରେ ଶ୍ରୀକୃଷ୍ଣ ରାସଲୀଳା, ୧୯୭୮ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସଙ୍ଗୀତ ନିର୍ଦ୍ଦେଶନା, ୧୯୭୭ରେ ଅନୁତାପ, ୧୯୭୬ରେ ଅମର ପ୍ରେମ, ୧୯୭୩ରେ କନକଲତା ଏବଂ ୧୯୬୮ରେ କିଏ କାହାର ଆଦି ଚଳଚିତ୍ରରେ ଭିକାରୀ ବଳ କଣ୍ଠଦାନ କରିଛନ୍ତି ।
ଇତିମଧ୍ୟରେ ଭିକାରୀ ବଳଙ୍କ ନିଧନକୁ ବିତିଗଲାଣି ଅନେକ ବର୍ଷ । ସେ ଥିଲେ ଭାଗ୍ୟବାନ । ବୈଷ୍ଣବ ଅଗ୍ନିରେ ହୋଇଥିଲା ତାଙ୍କର ଅନ୍ତିମ ସଂସ୍କାର । ବହୁ ଦୂରକୁ ଉଡିଯାଇଛି ଭଜନ ସମ୍ରାଟଙ୍କ ମନପାରା । ହେଲେ ଆଜିବି ତାଙ୍କ ଭଜନ ଅଭୁଲା ଓ ଅପାସୋରା । ସେଥିପାଇଁ ତ ସେ ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ହୃଦୟରେ ଚୀର ପ୍ରଣମ୍ୟ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ