ହାଇଦ୍ରାବାଦ: ବଲିଉଡର 2 ସୁପରଷ୍ଟାର, ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ହିଟ୍ ଏବଂ ସୁପରହିଟ୍ ଫିଲ୍ମ ବକ୍ସ ଅଫିସରେ ଦେଇଚାଲିଛନ୍ତି । ଉଭୟ 3 ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଛନ୍ତି । ଉଭୟ ଅନେକ ତାରକାଙ୍କ ସହ କାମ କରିଛନ୍ତି, ହେଲେ କୋଟି କୋଟି ଟଙ୍କା ରୋଜଗାର କରୁଥିବା ଏହି ଦୁଇ ତାରକା ଆଜି ପର୍ଯ୍ୟନ୍ତ ଏକାଠି ଗୋଟିଏ ବି ଫିଲ୍ମ କରିନାହାଁନ୍ତି । ଦୁହିଁଙ୍କ ମଧ୍ୟରେ କ’ଣ ହେଲା ? ଉଭୟଙ୍କ ମଧ୍ୟରେ ଶତ୍ରୁତା ଅଛି କି ? ଏବଂ କାହିଁକି ଦୁହେଁ ଆଜି ପର୍ଯ୍ୟନ୍ତ ଏକାଠି କାମ କରିନାହାଁନ୍ତି । ଯଦି ଆପଣ ଏହା ପଛର କାରଣ ଜାଣନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆସନ୍ତୁ ଜାଣିବା ବଲିଉଡର 'ଖିଲାଡି' ଅକ୍ଷୟ କୁମାର ଏବଂ ମିଷ୍ଟର ପରଫେକ୍ସନିଷ୍ଟ ଅମିର ଖାନଙ୍କ ବିଷୟରେ ।
ଅମିର ଖାନ ଯେତେବେଳେ ବଲିଉଡର ବଡ ବଡ ସେଲିବ୍ରିଟିଙ୍କ ନିକଟତର ଥିଲେ ସେତେବେଳେ ଅକ୍ଷୟ କୁମାରଙ୍କ ପାଇଁ ଇଣ୍ଡଷ୍ଟ୍ରିରେ ସବୁକିଛି ନୂଆ ଥିଲା । ଅମିରଙ୍କ ପାଇଁ ବଲିଉଡର ରାସ୍ତା ସହଜରେ ଖୋଲି ଯାଇଥିବାବେଳେ ଅକ୍ଷୟଙ୍କୁ ପ୍ରଥମ ଦିନରେ ଚଳଚ୍ଚିତ୍ର ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥିଲା । ଉଭୟ ତାରକା ପ୍ରାୟ ଏକ ସମୟରେ ବଲିଉଡରେ ପ୍ରବେଶ କରିଥିଲେ ଏବଂ ପ୍ରତ୍ୟେକ ପ୍ରକାରର ଚଳଚ୍ଚିତ୍ର କରିଥିଲେ । ଏଥିରେ ଆକ୍ସନ୍, କମେଡି ଏବଂ ରୋମାଣ୍ଟିକ୍ ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ । ଉଭୟ ତାରକାଙ୍କର କିଛି ସମାନ ଗୁଣ ଅଛି, ଯେପରିକି ଉଭୟ ସମୟାନୁବର୍ତ୍ତୀ ଏବଂ ଉଭୟ ବଲିଉଡରେ ଆୟୋଜିତ ପାର୍ଟୀ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ କ’ଣ ହେଲା ଯେ ଦୁହେଁ ଏକାଠି ଗୋଟିଏ ବି ଫିଲ୍ମ କରିନାହାଁନ୍ତି ।
ଏହି କଥା 1991 ମସିହାର ଅଟେ । ଯେଉଁଠାରେ ଅମିର ଏକ ବଡ ତାରକା ହୋଇସାରିଥିଲେ । ତାଙ୍କର ଚଳଚ୍ଚିତ୍ର ‘କୟାମତ ସେ କୟାମତ ତକ୍’ ଏକ ବ୍ଲକବଷ୍ଟର ଚଳଚ୍ଚିତ୍ର ବୋଲି ପ୍ରମାଣିତ ହୋଇଥିଲା । ଏହି ଚଳଚ୍ଚିତ୍ର ପରେ ସେ ଗୋଟିଏ ପରେ ଗୋଟିଏ ଅନେକ ହିଟ୍ ଫିଲ୍ମ ଦେଇଚାଲିଲେ । ଯେଉଁଠାରେ ଅକ୍ଷୟ କୁମାର ସଂଘର୍ଷ କରୁଥିଲେ। ସେ ଚଳଚ୍ଚିତ୍ର ପାଉଥିଲେ, କିନ୍ତୁ ଭଲ ଭୂମିକା ପାଇପାରିନଥିଲେ । ଅମିର ଖାନଙ୍କ ଦାଦା (ଚାଚା) ନାସିର ହୁସେନ୍ ଏବଂ ମସୁର ଖାନ୍ 'ଜୋ ଜିତା ୱହି ସିକନ୍ଦର' ନାମକ ଏକ ଫିଲ୍ମ ନିର୍ମାଣ କରୁଥିଲେ । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତା ପାଇଁ ଅମିର ଖାନଙ୍କୁ ବଛା ଯାଇଥିଲା । ଯେତେବେଳେ ଅକ୍ଷୟ ଜାଣିଲେ ଯେ ଫିଲ୍ମର ଦ୍ୱିତୀୟ ହିରୋ ପାଇଁ ଅଡିସନ୍ ଦିଆଯାଉଛି, ସେ ମଧ୍ୟ ଏଠାରେ ଏକ ଅଡିସନ୍ ଦେଇଥିଲେ ।
ଅକ୍ଷୟଙ୍କୁ ମନସୁର ଅଲି ଖାନ ରିଜେକ୍ଟ କରିଥିଲେ ଏବଂ ଏହି ଫିଲ୍ମରେ ଦୀପକ ତିଜୋରୀ କାଷ୍ଟ ହୋଇଥିଲେ । ଏହା ଶୁଣି ଅକ୍ଷୟ ବହୁତ ଦୁଃଖିତ ହୋଇଥିଲେ । ତାଙ୍କୁ ଏଥିପାଇଁ ଖରାପ ଲାଗିଲା କି, ‘‘ଯେତେବେଳେ ଦୀପକ ତିଜୋରୀଙ୍କୁ ଏହି ଭୂମିକା ଦେବାର ଥିଲା, ସେତେବେଳେ ମୋର ଅଡିସନ କାହିଁକି ନିଆଗଲା ।’’ ବାସ୍ତବରେ ଦୀପକ ତିଜୋରି ଏବଂ ଅମିର ଖାନ ପରସ୍ପରକୁ ବର୍ଷ ବର୍ଷ ଧରି ଜାଣିଥିଲେ ଏବଂ ଦୁହେଁ ଭଲ ବନ୍ଧୁ ଥିଲେ । ତାଙ୍କୁ ଲାଗୁଥିଲା ଯେ, ଦୀପକଙ୍କୁ ଆଣିବା ପଛରେ ଅମିରଙ୍କ ହାତ ଥିଲା । ଏହି ଘଟଣା ପରେ ଅକ୍ଷୟ ଶପଥ ନେଇଥିଲେ ଯେ ସେ ଅମିରଙ୍କ ସହ କୌଣସି ଫିଲ୍ମ କରିବେ ନାହିଁ ଏବଂ ସେ ଏପର୍ଯ୍ୟନ୍ତ ଏହି ଶପଥ ପାଳନ କରିଛନ୍ତି ।
ସବୁଠୁ କୌତୁହଳର ବିଷୟ ହେଉଛି ଯେ, ଯେତେବେଳେ ଅମିରଙ୍କ ଫିଲ୍ମ 'ଜୋ ଜିତା ୱହି ସିକନ୍ଦର’ ରିଲିଜ ହୋଇଥିଲା, ଠିକ୍ ଗୋଟିଏ ମାସ ପରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ଖିଲାଡି' ମୁକ୍ତିଲାଭ କରିଥିଲା । ଅକ୍ଷୟ କୁମାରଙ୍କ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଜବରଦସ୍ତ ସଫଳତା ପାଇଲା ଏବଂ ଲୋକମାନେ ତାଙ୍କୁ ମୁଖ୍ୟ ହିରୋ ଭାବରେ ଗ୍ରହଣ କଲେ । ଏହା ଅକ୍ଷୟ କୁମାରଙ୍କ ପ୍ରଥମ ହିଟ୍ ଫିଲ୍ମ ଥିଲା, ଯାହାକୁ ଦର୍ଶକମାନେ ଖିବ୍ ପସନ୍ଦ କରିଥିଲେ। ଯେଉଁ କାରଣରୁ ଆଜି ବି ଲୋକମାନେ ଅକ୍ଷୟଙ୍କୁ ‘ଖିଲାଡି କୁମାର’ ନାମରେ ସମ୍ବୋଧିତ କରନ୍ତି ।