ମୁମ୍ବାଇ: ବଲିଉଡ ଆକ୍ସନ୍ ହିରୋ ଜନ୍ ଆବ୍ରାହମଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ତାଙ୍କ ଆଗାମୀ ଫିଲ୍ମ 'ଦ ଡିପ୍ଲୋମେଟ'ର ପୋଷ୍ଟର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଜନ୍ ରିଲିଜ୍ ତାରିଖ ସହିତ ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ରଟିକୁ ଶିବମ ନାୟର ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ଜାନୁଆରୀରେ ରିଲିଜ ହେବ ।
ଇନଷ୍ଟାଗ୍ରାମରେ ଜନ୍ ଫିଲ୍ମର ପୋଷ୍ଟର ସହ ରିଲିଜ ତାରିଖ ସେୟାର କରିଛନ୍ତି । ପୋଷ୍ଟରରେ ଜନ୍ ଏକ ସୁଟରେ ନଜର ଆସିଛନ୍ତି ଏବଂ ବିପରୀତ ଦିଗକୁ ଚାହିଁରହିଥିବା ଦେଖିବାକୁ ମିଳିଛି । ପୋଷ୍ଟରରେ ଲେଖାଅଛି, 'ଜଣେ ପ୍ରକୃତ ହିରୋଙ୍କୁ କୌଣସି ଅସ୍ତ୍ରର ଆବଶ୍ୟକତା ନାହିଁ ।' ପୋଷ୍ଟର ସେୟାର୍ କରି ଜନ୍ କ୍ୟାପସନ୍ ଲେଖିଛନ୍ତି, 'ଯୁଦ୍ଧକ୍ଷେତ୍ର ବାହାରେ ମଧ୍ୟ କିଛି ଯୁଦ୍ଧ ହୁଏ, ଏକ ନୂତନ ପ୍ରକାରର ହିରୋ ପାଇଁ ପ୍ରସ୍ତୁତ ହୁଅ, କାରଣ ହାଇ-ଅକ୍ଟେନ ଡ୍ରାମା 'ଦ ଡିପ୍ଲୋମେଟ'ର ରିଲିଜ୍ ତାରିଖ ପ୍ରକାଶ ପାଇଛି ।
ଏହା ମଧ୍ୟ ପଢନ୍ତୁ: Project-K ରିଲିଜ ତାରିଖ ଘୋଷଣା
ଏହି ଚଳଚ୍ଚିତ୍ର 11 ଜାନୁଆରୀ 2024ରେ ବିଶ୍ବବ୍ୟାପୀ ରିଲିଜ କରିବ । ଏକ ସତ୍ୟ କାହାଣୀ ଉପରେ ଆଧାର କରି 'ଦ ଡିପ୍ଲୋମେଟ' ଟି-ସିରିଜ୍, ଜେଏ ଏଣ୍ଟରଟେନମେଣ୍ଟ, ୱାକୋ ଫିଲ୍ମ, ଫର୍ଚୁନ୍ ପିକ୍ଚର୍ସ, ସୀତା ଫିଲ୍ମ ଦ୍ୱାରା ନିର୍ମିତ ଏବଂ ରିତେଶ ଶାହାଙ୍କ ଦ୍ୱାରା ଲିଖିତ ଫିଲ୍ମ । ଏହି ସମୟରେ ଜନ୍ ଅବ୍ରହାମ ବର୍ତ୍ତମାନ ଶାରଭାରୀ ୱାଗଙ୍କ ସହ 'ବେଦା' ପାଇଁ ସୁଟିଂ କରୁଛନ୍ତି । ଫିଲ୍ମର ପୋଷ୍ଟର ଦମଦାର ରହିଥିବା ବେଳେ ଫିଲ୍ମକୁ ଦେଖିବାକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି।
ସୂଚନା ଥାଉ କି, ଜନ୍ ଆବ୍ରାହମଙ୍କ ଫିଲ୍ମ 'ଦ ଡିପ୍ଲୋମେଟ' ଜାନୁଆରୀ 11ରେ ରିଲିଜ ହେବାକୁ ଥିବା ବେଳେ 12ରେ ପ୍ରଭାସଙ୍କ ପାନ ଇଣ୍ଡିଆ ଫିଲ୍ମ 'ପ୍ରୋଜେକ୍ଟ କେ' ରିଲିଜ ହେବ । ଗୋଟିଏ ଦିନ ବ୍ୟବଧାନରେ 2ଟି ଫିଲ୍ମ ରିଲିଜ ଏବଂ ଉଭୟ ଆକ୍ସନ ଫିଲ୍ମ ହୋଇଥିବାରୁ ବକ୍ସ ଅଫିସରେ କଡ଼ା ଟକ୍କର ହେବାକୁ ଯାଉଛି । ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ପ୍ରୋଜେକ୍ଟ କେ' ଏକ ବିଗ୍ ବଜେଟରେ ତିଆରି କରାଯାଉଛି । ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ ପ୍ରାୟ 500 କୋଟି ଅଟେ । ଏହାକୁ ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଏହି ଚଳଚ୍ଚିତ୍ରରେ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ବ୍ୟତୀତ ବିଗ ବି ଅମିତାଭ ବଚ୍ଚନ ଏବଂ ଦୀପିକା ପାଦୁକୋନ ଏବଂ ଦିଶା ପଟାନି ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଜାନୁଆରୀ 12, 2024ରେ ତେଲୁଗୁ, ହିନ୍ଦୀ, ତାମିଲ, କନ୍ନଡ ଏବଂ ମାଲାୟାଲମରେ ଭାଷାରେ ରିଲିଜ ହେବ ।