ମୁମ୍ବାଇ: ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ବେଶ୍ ପରିଚିତ । ଟିଭି ସୋ କପିଲ ଶର୍ମା ଶୋରୁ ଲୋକପ୍ରିୟତା ସାଉଁଟିପାରିଛନ୍ତି। ତାଙ୍କ କମେଡି ପାଇଁ ଦେଶ ତଥା ଦେଶ ବାହାରେ ମଧ୍ୟ ଫ୍ୟାନ୍ସଙ୍କ ମନ ଜିତିବା ସହ ସଫଳ ମଧ୍ୟ ହୋଇପାରିଛନ୍ତି । ତେବେ ବୃତ୍ତିଗତ ଜୀବନରେ ଯେପରି ତାଙ୍କର କମେଡିଆନ ଅନ୍ଦାଜ ରହିଛି, ବ୍ୟକ୍ତିଗତ ଜୀବନରେ ମଧ୍ୟ ଠିକ ସେହିପରି ରୁହନ୍ତି କପିଲ । 2018 ରେ ଗିନି ଚତରଥଙ୍କୁ ବିବାହ କରିଥିଲେ କପିଲ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯଥା ତ୍ରିଶାନ୍ ଶର୍ମା (ପୁଅ) ଏବଂ ଅନାୟରା ଶର୍ମା (ଝିଅ)। ଏହାରି ମଧ୍ୟରେ ନିକଟରେ ବଲିଉଡର 'ଗଙ୍ଗୁବାଇ' ଅଭିନେତ୍ରୀ ଆଲିଆ ଭଟ୍ଟ କପିଲଙ୍କ ଝିଅ ଅନାୟରାଙ୍କୁ ଏକ ସୁନ୍ଦର ଉପହାର ପଠାଇଥିଲେ । ଯେଉଁଥିପାଇଁ କପିଲ ଅଭିନେତ୍ରୀଙ୍କୁ ଧନ୍ୟବାଦ ଜଣାଇଥିବା ଦେଖିବାକୁ ମିଳିଛି।
କପିଲ ଶର୍ମା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଛନ୍ତି, ଯେଉଁଥିରେ ଆଲିଆ ତାଙ୍କ ଝିଅ ଅନାୟରାଙ୍କୁ ଦିଆଯାଇଥିବା ଉପହାର ସହିତ ଦେଖିବାକୁ ମିଳିଛି। ଆଲିଆ ଦେଇଥିବା ଫଟୋ ସେୟାର କରି କପିଲ କ୍ୟାପସନରେ ଲେଖିଛନ୍ତି, 'ଆଲିଆ ଭଟ୍ଟଙ୍କୁ ଏପରି ସୁନ୍ଦର ପୋଷାକ ପଠାଇଥିବାରୁ ବହୁତ ବହୁତ ଧନ୍ୟବାଦ । ରାହାଙ୍କ ପାଇଁ ବହୁତ ଭଲପାଇବା। ଏନେଇ ପୁଣି ଆଲିଆ ଭଟ୍ଟ କପିଲଙ୍କ ଏହି ପୋଷ୍ଟକୁ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ସେୟାର କରିଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ଅନାୟରା ଏକ ଗରମ ପୋଷାକରେ ଦେଖିବାକୁ ମିଳିଛି । ଛୋଟ ରାଜକୁମାରୀ ଏକ ଜ୍ୟାକେଟ ସହ ହାଲକା ଗୋଲାପି ରଙ୍ଗର ଟ୍ରାଉଜର ଏବଂ ତାଙ୍କ ମୁଣ୍ଡରେ ଏକ ଧଳା କ୍ୟାପ୍ ପିନ୍ଧିଥିବା ଦେଖିବାକୁ ମିଳିଛି । କପିଲଙ୍କ ଛୋଟ ପରୀ ଏହି ଫଟୋରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।
ସୂଚନା ଥାଉ କି, କପିଲ ଶର୍ମା ବର୍ତ୍ତମାନ ଟିଭି ଶୋ ବ୍ୟତୀତ ବଲିଉଡରେ 2015 ରେ, 'କିସ୍-କିସ୍ କୋ ପ୍ୟାର କରୁଁ' ଫିଲ୍ମରୁ ନିଜ ଫିଲ୍ମି କ୍ୟାରିଅର ଆରମ୍ଭ କରିଛନ୍ତି। ପରେ ପରେ ଫିରଙ୍ଗି (2017) ପରେ କପିଲ ନନ୍ଦିତା ଦାସଙ୍କ ନିର୍ଦ୍ଦେଶିତ 'ଜ୍ବିଗାଟୋ'ରେ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଯଦିଓ ଏହି ଫିଲ୍ମ ବକ୍ସ ଅଫିସରେ କିଛି ବିଶେଷ ପ୍ରଦର୍ଶନ କରିପାରି ନାହିଁ। କିନ୍ତୁ ଏହି ଫିଲ୍ମରେ ସେ ପୁଣି ଥରେ ନିଜର ଦକ୍ଷତା ପ୍ରମାଣ କରିଥିବା ଦେଖିବାକୁ ମିଳିଛି। ତେବେ ନିଜ କମେଡିର ଯାଦୁରେ ଦର୍ଶକଙ୍କୁ ବେଶ ହସାଇ ବେଶ ଲୋକପ୍ରିୟତା ସାଉଁଟିପାରିଛନ୍ତି କପିଲ ଶର୍ମା। ଏହିପରି ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ କପିଲ ବେଶ ମଜାଳିଆ ଢଙ୍ଗରେ 2 ସନ୍ତାନ ଏବଂ ସ୍ତ୍ରୀଙ୍କ ସହ ଖୁସିରେ ଜୀବନ ବିତାଉଛନ୍ତି କପିଲ।