ମୁମ୍ବାଇ: ବଲିଉଡ଼ର ସୁପରଷ୍ଟାର ତଥା ଭାଇଜାନ ସଲମାନ ଖାନଙ୍କ ଉପରୁ ହଟୁନି ବିପଦ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ (Lawrence Bishnoi gang) ସଲମାନ ଖାନଙ୍କୁ ହତ୍ୟା କରିବାକୁ ପ୍ଲାନ ବି (Plan B to kill Salman Khan) ପ୍ରସ୍ତୁତ କରି ରଖିଥିବା ଜଣାପଡ଼ିଛି । ସଲମାନଙ୍କ ପାନଭେଲ ଫାର୍ମହାଉସ (Panvel farmhouse) ନିକଟରେ ତାଙ୍କୁ ହତ୍ୟା କରିବା ଲାଗି ଏକ ସ୍ଥାନ ଗ୍ୟାଙ୍ଗ ଚୟନ କରିଥିବା ସୂଚନା ମିଳିଛି ।
ସଲମାନଙ୍କୁ ହତ୍ୟା କରିବା ଲାଗି ଚୟନ ହୋଇଥିବା ସ୍ଥାନର ରେକି ହୋଇସାରିଥିବା ମଧ୍ୟ ଖବର ଆସିଛି । ତେବେ ସଲମାନଙ୍କୁ ହତ୍ୟା କରିବା ଲାଗି ଯୋଜନା କରୁଛନ୍ତି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତ । ପଣ୍ଡିତର ସହଯୋଗୀ ଗୋଲ୍ଡି ବରାରକୁ ଗତ କିଛି ଦିନ ତଳେ ପୋଲିସ ଭାରତ-ନେପାଳ ସୀମାରୁ ଗିରଫ କରିଛି । ଏମାନେ ଏହି ହତ୍ୟା ଷଡ଼ଯନ୍ତ୍ରର ମାଷ୍ଟର ମାଇଣ୍ଡ ବୋଲି କହିଛି ପୋଲିସ ।
ଏହା ବି ପଢନ୍ତୁ- ସଲମାନ ଖାନଙ୍କୁ ବିପଦ, ଘର ବାହାରେ ବଢିଲା ସୁରକ୍ଷା ବ୍ୟବସ୍ଥା
କପିଲ ପଣ୍ଡିତ, ସନ୍ତୋଷ ଯାଦବ, ଦୀପକ ମୁଣ୍ଡେ ସଲମାନଙ୍କୁ ହତ୍ୟା କରିବା ଲାଗି ପାନଭେଲ ନିକଟରେ ଏକ ଭଡ଼ା ଘରେ ରହୁଛନ୍ତି । ତେବେ ସେମାନେ ପ୍ରାୟ ଦେଢ ମାସ ଧରି ସେଠାରେ ରହିଆସୁଛନ୍ତି । ଲରେନ୍ସର ଏହି ଗ୍ୟାଙ୍ଗ ସମସ୍ତ ସଦସ୍ୟଙ୍କ ନିକଟରେ ଏକ ଛୋଟ ପିସ୍ତଲ ସହିତ ଅନ୍ୟ ମାରଣାସ୍ତ୍ର ରହିଛି । ତେବେ ସୂଚନା ଥାଉ କି ବଲିଉଡ଼ର ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନ ଗତ କିଛି ଦିନ ତଳେ ଏକ ଧମକପୂର୍ଣ୍ଣ ଚିଠି ପାଇଥିଲେ । ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇର ସହଯୋଗୀ କପିଲ ପଣ୍ଡିତ ସଲମାନଙ୍କୁ ହତ୍ୟା କରିବା ଲାଗି ଷଡଯନ୍ତ୍ର କରୁଥିବା ସେଥିରେ ଉଲ୍ଲେଖ ଥିଲା ।
ଏହାପରେ ଏକାଧିକ ଥର ହତ୍ୟା ଧମକ ପାଇ ସାରିଥିବା ବଲିଉଡ ଅଭିନେତା ସଲମାନ ଖାନ ଆତ୍ମରକ୍ଷା ପାଇଁ ବନ୍ଧୁକ ରଖିପାରିବେ । ଏଥିଲାଗି ସଲମାନ ଗତ କିଛି ଦିନ ପୂର୍ବରୁ ଆବେଦନ କରିଥିବା ଆର୍ମ ଲାଇସେନ୍ସକୁ ଅନୁମତି ଦେଇଥିଲା ମହାରାଷ୍ଟ୍ର ଗୃହ ବିଭାଗ । ଏକାଧିକ ଥର ହତ୍ୟା ଧମକର ଶିକାର ହୋଇଥିବା ସଲମାନ ଖାନ ନିଜେ ତାଙ୍କୁ ବନ୍ଧୁକ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ସେପଟେ ଗତ ସୋମବାର ସଲମାନ ଖାନଙ୍କ ଘର ବାହାରେ ମୁମ୍ବାଇ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲା ।