ହାଇଦ୍ରାବାଦ: ସରି ସରି ଯାଉଛି 2022 ବର୍ଷ । କେଇଟା ଦିନ ପରେ ଏହି ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ବାଗତ ଜଣାଇବ ବିଶ୍ବ । ଚଳିତ ବର୍ଷ ବିବାଦ, ବିଦାୟ ଓ ବିଚ୍ଛେଦକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଥିଲେ ବଡ ବଡ ସେଲିବ୍ରେଟି । ଏଇ ବର୍ଷକ ମଧ୍ୟରେ ଅନେକ ସେଲିବ୍ରେଟିଙ୍କ ହୃଦୟ ମିଶିଛି ଏବଂ ଅନେକଙ୍କ ହୃଦୟ ଭାଙ୍ଗିଛି । କାହା ଘରେ ଶାହାନାଇ ବାଜିଛି ତ ଆଉ କେହି ଦୁନିଆକୁ ଅଲବିଦା କହିଛନ୍ତି । ବଲିଉଡ, ଟଲିଉଡ ଓ ଓଲିଉଡର ଅନେକ ଷ୍ଟାର ହାତକୁ ଦି ହାତ ହୋଇଛନ୍ତି(Biggest Celebrity wedding) । ମୁଣ୍ଡରେ ସିନ୍ଦୁର ପିନ୍ଧି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଡବଡ ଫେମ୍ । ସାଉଥ ସୁନ୍ଦରୀ ନୟନତାରା ହୁଅନ୍ତୁ ଅବା ଓଲିଉଡର ଚୁଲବୁଲି ନାୟିକା ରିୟା ଦେ । ଏସବୁ ଭିତରେ ଅଧିକ ଲାଇମ୍ ଲାଇଟରେ ରହିଥିଲା ବଲିଉଡର ଲଭବାର୍ଡ ରଣବୀର ଓ ଆଲିଆଙ୍କ ବିବାହ ।
ଆଲିଆ ଭଟ୍ଟ-ରଣବୀର କପୁର:
ଚଳିତ ବର୍ଷ ସାତଜନ୍ମର ସାଥି ହୋଇଥିଲେ ବଲିଉଡ୍ର ଚର୍ଚ୍ଚିତ ଲଭବାର୍ଡ ଆଲିଆ ଓ ରଣବୀର । ମିସ୍ ମିସେସ୍ କପୁର ସାଜିଥିଲେ ଆଲିଆ ଭଟ୍ଟ । ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି ପ୍ରେମୀଯୁଗଳ ଏପ୍ରିଲ ୧୪ରେ ବିବାହ କରିଥିଲେ । ମୁମ୍ବାଇର ବାନ୍ଦ୍ରାରେ ଥିବା ରଣବୀରଙ୍କ ଘର ବାସ୍ତୁରେ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ଏଥିରେ ନୀତୁ କପୁର, କରିସ୍ମା କପୁର, କରଣ ଜୋହର, ଆୟାନ ମୁଖାର୍ଜୀ, ମହେଶ ଭଟ୍ଟ, ପୂଜା ଭଟ୍ଟ ଇତ୍ୟାଦି ଉଭୟ ପରିବାରର ସଦସ୍ୟମାନେ ଯୋଗ ଦେଇଥିଲେ । କେବଳ ପରିବାର ସଦସ୍ୟ ଓ କିଛି ନିକଟତର ବନ୍ଧୁଙ୍କ ଉପସ୍ଥିତିରେ ଆଲିଆଙ୍କ ମଥାରେ ସିନ୍ଦୁର ଦେଇଥିଲେ ରଣବୀର । ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହେବାକୁ ଦୁହେଁ ପ୍ରତିଶ୍ରୁତି ନେଇଥିଲେ । ବିବାହର ମାତ୍ର କେଇ ମାସ ମଧ୍ୟରେ ଏହି ଷ୍ଟାର ଦମ୍ପତି ବାପାମାଆ ହୋଇଛନ୍ତି ।
ମୌନୀ ରୟ-ସୁରଜ ନାମ୍ବିଆର:
ଚଳିତ ବର୍ଷ ନାଗିନ ଫେମ୍ ମୌନୀ ରୟଙ୍କ ପଡିଥିଲା ହାତଗଣ୍ଠି । ଦୀର୍ଘ ଦିନ ଧରି ଡେଟ୍ କରୁଥିବା ବୟଫ୍ରେଣ୍ଡ ସୁରଜ ନାମ୍ବିଆରଙ୍କୁ ସେ ବିବାହ କରିଥିଲେ । ଗୋଆରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଭୟ ମାଲାୟାଲୀ ଓ ବଙ୍ଗାଳୀ ରୀତିନୀତିରେ ସାତଫେରା ନେଇଥିଲେ । ଏଥିରେ ମୌନୀଙ୍କ କେବଳ ପରିବାର ସଦସ୍ୟ ଓ ନିକଟତର ବନ୍ଧୁ ସାମିଲ ହୋଇଥିଲେ । ସୁରଜ ନାମ୍ବିଆର ଦୁବାଇର ଜଣେ ବ୍ୟାଙ୍କର ତଥା ଶିଳ୍ପପତି ଅଟନ୍ତି । ମୌନୀ ଓ ସୁରଜ ୨୦୧୯ରୁ ପରସ୍ପରକୁ ଡେଟ୍ କରୁଥିଲେ । କିନ୍ତୁ ଦୁହେଁ ସମ୍ପର୍କକୁ ଦୀର୍ଘ ଦିନ ଯାଏଁ ଲୁଚାଇ ରଖିଥିଲେ । ହେଲେ ଶେଷରେ ସବୁ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତଫେରା ନେଇଥିବା ନାଗିନ୍ । ବିବାହ ଦିନ ମୌନୀ ଧଳା ଓ ନାଲି ରଙ୍ଗର ଶାଢୀରେ ନଜର ଆସିଥିଲେ ।
ଅଲ୍ଲୀ ଫଜଲ-ରିଚା ଚଢା:
ବଲିଉଡ ଅଭିନେତା ଅଲ୍ଲୀ ଫଜଲ ଅକ୍ଟୋବର ୬ ତାରିଖରେ ଗାର୍ଲଫ୍ରେଣ୍ଡ ରିଚା ଚଡ୍ଡାଙ୍କୁ ବିବାହ କରିଥିଲେ । ଲକ୍ଷ୍ନୌଠାରେ ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଦୀର୍ଘ ଦିନ ଧରି ରିଲେସନସିପ୍ରେ ରହିବା ପରେ ଏହି ସେଲିବ୍ରେଟି କପୁଲ୍ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଖବର ମୁତାବକ, ଦୁହେଁ ପରସ୍ପରକୁ ପ୍ରାୟ ୧୦ ବର୍ଷ ଧରି ଡେଟ୍ କରିବା ପରେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ଲଭ୍ ବାର୍ଡଙ୍କ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ରୀତି ଦିଲ୍ଲୀରେ ହୋଇଥିଲା ।
ନୟନତାରା-ବିଗ୍ନେଶ ବିଜଲାନି:
ସାଉଥ ସୁନ୍ଦରୀ ନୟନତାରା ଓ ଫିଲ୍ମ ନିର୍ଦ୍ଦେଶକ ବିଗ୍ନେଶ ଶିବନ ଜୁନ ୧୦ରେ ବିବାହ କରିଥିଲେ । ଦୁହେଁ ଦୀର୍ଘ ୬ ବର୍ଷ ଧରି ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ଅଗ୍ନିକୁ ସାକ୍ଷୀ ରଖି ସାତଜନ୍ମର ସାଥୀ ହୋଇଥିଲେ ଏହି ଷ୍ଟାର ଯୋଡି । ପାରମ୍ପରିକ ରୀତିନୀତିରେ ନିଜ ପରିବାର ଓ ପରିଜନଙ୍କ ଉପସ୍ଥିତିରେ ଦୁହେଁ ପରସ୍ପରକୁ ଜୀବନ ସାଥୀ ରୂପେ ବରଣ କରିଥିଲେ । ସାଉଥର ଏହି ଚର୍ଚ୍ଚିତ ଷ୍ଟାରଦମ୍ପତ୍ତିଙ୍କ ବିବାହରେ ରଜନୀକାନ୍ତ, ସାହାରୁଖ ଖାନ, ବିଜୟ ସେଥୁପତି, ମଣି ରତ୍ନମ ଓ ଶିବ କାର୍ତ୍ତିକେୟନ, ବୋନି କପୁର ଭଳି ବଡବଡ ଷ୍ଟାର ଓ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ୬ ବର୍ଷ ଡେଟିଂ ପରେ ୨୫ ମାର୍ଚ୍ଚ ୨୦୨୧ରେ ସେମାନେ ନିର୍ବନ୍ଧ କରିଥିଲେ । ଏହାପରେ ୨୦୨୨ ଜୁନ୍ ୧୦ରେ ଉଭୟ ବିବାହ କରିଥିଲେ । ବିବାହର ୪ ମାସ ପରେ ଯମଜ ପୁତ୍ର ସନ୍ତାନର ଜନନୀ ହୋଇଛନ୍ତି ନୟନତାରା ।
ଫରହାନ ଅଖତର-ଶିବାନୀ ଡାଣ୍ଡେକର:
ଚଳିତ ବର୍ଷ ପୁଣିଥରେ ଘୋଡା ଚଢିଥିଲେ ବଲିଉଡ ଷ୍ଟାର ଫରହାନ ଅଖତର । ଫେବୃୟାରୀ ୧୯ରେ ଏହି ବଲିଉଡ କଳାକାର ଗାର୍ଲଫେଣ୍ଡ ଶିବାନୀଙ୍କୁ ବିବାହ କରିଥିଲେ । ଖଣ୍ଡାଲା ସ୍ଥିତ ଫାର୍ମହାଉସ ସୁକୁନରେ ସେମାନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଫରହାନ ଓ ଶିବାନୀ ପରସ୍ପରକୁ ୩ ବର୍ଷ ହେଲା ଡେଟ୍ କରୁଥିଲେ । ଫରହାନ ପ୍ରଥମେ ହେୟାରଷ୍ଟାଇଲିସ୍ ଅଧୁନା ଭବାନୀଙ୍କ ସହ ବିବାହ କରିଥିଲେ । ୨୦୦୦ ମସିହାରେ ତାଙ୍କର ବିବାହ ହୋଇଥିଲା । କିନ୍ତୁ ୨୦୧୭ରେ ଦୁହେଁ ଅଲଗା ହୋଇଯିବା ପରେ ଶିବାନୀଙ୍କ ସହ ରିଲେସନସିପ୍ରେ ରହିଥିଲେ ଫରହାନ ।
ହଂସିକା ମୋଟୱାନି-ସୋହେଲ କଥୁରିୟା:
ଡିସେମ୍ବର ୪ରେ ଚୁଲବୁଲି ଅଭିନେତ୍ରୀ ହଂସିକାଙ୍କ ବାଜିଥିଲା ସାହାନାଇ । ବୟଫ୍ରେଣ୍ଡ ସୋହେଲ କଥୁରିୟାଙ୍କୁ ବିବାହ କରିଥିଲେ ହଂସିକା ମୋଟୱାନୀ । ସୋହେଲ ମୁମ୍ବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି । ଜୟପୁରର ମୁଣ୍ଡୋତା ଫୋର୍ଟ ଆଣ୍ଡ ପ୍ୟାଲେସରେ ବୈଦିକ ରୀତିନୀତି ଅନୁଯାୟୀ ଦୁହେଁ ସାତଜନ୍ମର ସାଥୀ ହୋଇଥିଲେ । ବିବାହ ଦିନ ହଂସିକା ଲାଲ୍ ଲଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସୋହେଲ ଅଲ୍ ଆଇଭରି ଶେରୱାନୀରେ ନଜର ଆସିଥିଲେ । ତାଙ୍କ ବିବାହରେ କେବଳ ପରିବାର ସଦସ୍ୟ ଓ ଅତି ନିକଟତମ ବନ୍ଧୁମାନେ ଯୋଗ ଦେଇଥିଲେ ।
କରିସ୍ମା ତନ୍ନା-ବରୁଣ ବଙ୍ଗେରା:
ଶାଶ ଭି କଭି ବୋହୂ ଥି ଟିଭି ଶୋରୁ ଲୋକପ୍ରିୟତା ହାସଲ କରିଥିବା କରିସ୍ମା ତନ୍ନା ଚଳିତ ବର୍ଷ ଫେବୃୟାରୀ ୫ ତାରିଖରେ ତାଙ୍କ ପ୍ରେମିକ ବରୁଣ ବାଙ୍ଗେରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କରିସ୍ମା ନାଗିନ ୩ ଏବଂ ଖତରୋଂ କି ଖିଲାଡି ୧୦ ଭଳି ଲୋକପ୍ରିୟ ଟିଭି ଶୋରେ ନଜର ଆସିଥିଲେ । ବରୁଣ ମୁମ୍ବାଇର ଜଣେ ରିଏଲ ଇଷ୍ଟେଟ ବ୍ୟବସାୟୀ । କରିସ୍ମା ତାଙ୍କୁ ଦୀର୍ଘ ଦିନ ଧରି ଡେଟ୍ କରୁଥିଲେ ।
କନିକା କପୁର-ଗୌତମ ହାଥିରାମନୀ:
ଚଳିତ ବର୍ଷ ବଲିଉଡ ସିଙ୍ଗର କନିକା କପୁର ପୁଣିଥରେ ବଧୂ ସାଜିଛନ୍ତି । କନିକା ଏନଆରଆଇ ବିଜନେସମ୍ୟାନ ଗୌତମ ହାଥିରାମନୀଙ୍କୁ ବିବାହ କରିଛନ୍ତି । ୨୦୨୨ ମେ ୨୦ ତାରିଖରେ ଦୁହେଁ ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁଯାୟୀ ସାତଫେରା ନେଇଛନ୍ତି । ବିବାହ ଉତ୍ସବରେ ପରିବାର ସଦସ୍ୟ ଓ ଦୁହିଁଙ୍କ ନିକଟତର ବନ୍ଧୁମାନେ ସାମିଲ ହୋଇଥିଲେ । ବିବାହ ଦିନ ୪୩ ବର୍ଷୀୟ କନିକା ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ସହ ଭାରି ଅଳଙ୍କାର ଓ ନ୍ୟୁଡ ମେକଅପ୍ରେ ନଜର ଆସିଥିଲେ ।
ପାୟଲ ରୋହତଗି-ସଂଗ୍ରାମ ସିଂହ:
ଲକଅପ୍ ପ୍ରତିଯୋଗୀ ତଥା ଅଭିନେତ୍ରୀ ପାୟଲ ରୋହତଗି ଚଳିତ ବର୍ଷ ଜୁଲାଇ ୯ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ପାୟଲ ନିଜର ବୟଫ୍ରେଣ୍ଡ ସଂଗ୍ରାମ ସିଂ ସହ ବିବାହ କରିଛନ୍ତି । ଦୁହେଁ ଦୀର୍ଘ ୧୨ ବର୍ଷ ହେଲା ରିଲେସନସିପ୍ରେ ରହିଥିଲେ । ଶେଷରେ ଜୁଲାଇରେ ଆଗ୍ରାସ୍ଥିତ ଜେପି ପ୍ୟାଲେସରେ ଦୁହେଁ ସାତଫେରା ନେଇଥିଲେ । ପାୟଲ ବହୁଚର୍ଚ୍ଚିତ ବିଗ୍ ବସ୍ ଶୋ'ରେ ମଧ୍ୟ ନଜର ଆସିଥିଲେ ।
ଓଲିଉଡ ନାୟିକା ରିୟା ଦେ- ସୁନୀଲ ଦଳାଇ:
ଚଳିତ ବର୍ଷ ମିସ୍ରୁ ମିସେସ୍ ହୋଇଛନ୍ତି ଓଲିଉଡର ଚୁଲବୁଲି ନାୟିକା ରିୟା ଦେ । ଡିସେମ୍ବର ୧ ତାରିଖରେ ରିୟା ବିବାହ ବନ୍ଧନରେ ବନ୍ଧି ହୋଇଛନ୍ତି । ଅଗ୍ନିକୁ ସାକ୍ଷୀ ରଖି ସେ ବ୍ୟବସାୟୀ ସୁନୀଲ କୁମାର ଦଳାଇଙ୍କୁ ଜୀବନସାଥୀ କରିଛନ୍ତି । ଅଭିନେତ୍ରୀଙ୍କ ବାଲେଶ୍ବର ସ୍ଥିତ ବାସଭବନରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ରିୟା ଦେ ପ୍ରେମ ଅଢେଇ ଅକ୍ଷରରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ । ଏହାପରେ ସେ କ୍ରିମିନାଲ, ଏମିତି ବି ପ୍ରେମ ହୁଏ, ତୁମେ ମୋ ଦେହର ଛାଇ, ପାଗଳ କରିଛୁ ତୁ, ଏମିତି ବି ପ୍ରେମ ହୁଏ, ଗୋଲାପୀ ଗୋଲାପୀ, ରଘୁପତି ରାଘବ ରାଜାରାମ, କଳକୀ, ହରି ଓମ୍ ହରି, ଦିଓ୍ଵାନା ହେଲି ତୋ ପାଇଁ, ପ୍ରେମ ପାଇଁ ମହାଭାରତ ଭଳି ଅନେକ ଫିଲ୍ମରେ ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ।
ଅଶ୍ବିନ-ପ୍ରେରଣା:
ଓଡିଆ ସିନେ ଜଗତର ଜଣାଶୁଣା ଚେହେରା ଅଶ୍ବିନୀ ଓ ପ୍ରେରଣା ନିଜ ଦାମ୍ପତ୍ୟ ଜୀବନ ଆରମ୍ଭ କରିଛନ୍ତି । ଡିସେମ୍ବର ୯ ତାରିଖରେ ଭୁବନେଶ୍ବରରେ ଦୁହେଁ ବିବାହ କରିଛନ୍ତି । ଏହି ଲଭବାର୍ଡ ପ୍ରଥମେ ଉପସ୍ଥାପନାରୁ ନିଜର କ୍ୟାରିଆର ଆରମ୍ଭ କରିଥିଲେ । ଦୁଇ ଜଣ ପ୍ରଥମେ ଭଲ ବନ୍ଧୁ ଥିଲେ । ହେଲେ ପରେ ବନ୍ଧୁତା ପ୍ରେମରେ ବଦଳିଥିଲା ଓ ସେମାନେ ପରସ୍ପରର ହାତ ଧରିଥିଲେ ।