କେନ୍ଦ୍ରାପଡା: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ଜାରୀ ରହିଥିବା ବେଳେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଆରମ୍ଭ ହୋଇଯାଇଛି । ଆଜି ରାଜ୍ୟ ବିଜେପି ପାଇଁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ବିଜେପିର ପ୍ରଚାରର ନେତୃତ୍ବ ଧରିଛନ୍ତି ।
ଆଜି କେନ୍ଦ୍ରାପଡାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ନିର୍ଦ୍ଧାରିତ ସମୟର ପ୍ରାୟ 3ଘଣ୍ଟା ବିଳମ୍ବରେ ମୋଦି କେନ୍ଦ୍ରାପଡାରେ ପହଞ୍ଚିଥିଲେ । ଚଳିତ ନିର୍ବାଚନରେ ରାଜ୍ୟକୁ ଶେଷ ନିର୍ବାଚନ ପ୍ରଚାର ପାଇଁ ଆସିଥିବା ମୋଦି ସବୁଥର ଅପେକ୍ଷା ଆଜି ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଥିଲେ । ନବୀନଙ୍କ ନାଁ ନେଇ ଆଜି ବିଜେଡି ସରକାର ପତନ ସୁ-ନିଶ୍ଚିତ ବୋଲି କହିବା ସହ ତାଙ୍କ ସରକାରଙ୍କ ଗତ ପାଞ୍ଚ ବର୍ଷର ସଫଳତା ଓ ଆଗାମୀ ଦିନର ଯୋଜନା ସଂପର୍କରେ ଜନତାଙ୍କୁ କହିଥିଲେ ।
ଏହାସହ ଗତ କିଛିଦିନ ଭିତରେ ରାଜ୍ୟରେ ଦେଖାଦେଇଥିବା ନିର୍ବାଚନୀ ହିଂସାକୁ ନେଇ ମୋଦି ଅତି ଶାଣିତ ସ୍ବରରେ ଆକ୍ରମଣ କରିଥିଲେ । ଏହାସହ ରାଜ୍ୟରେ ବିଜେଡିର ପତନ ଓ ବିଜେପିର ଅଭ୍ୟୁଦୟ ସୁ-ନିଶ୍ଚିତ ବୋଲି କହିବା ସହ ନବୀନ ବାବୁ ମର୍ଯ୍ୟଦାର ସହ ବିଦାୟ ନିଅନ୍ତୁ ବୋଲି କହିଛନ୍ତି ।
କେନ୍ଦ୍ରାପଡା ସମାବେଶ ପରେ ମୋଦି ବାଲେଶ୍ବରରେ ମଧ୍ୟ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।