ବରଗଡ଼: ‘ଶାସକ ଦଳ ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କଲାନି । ବିରୋଧୀ ଦଳ ଯାହା ବି ଧାରଣା, ପଦଯାତ୍ରା କଲେ କେବଳ ରାଜନୈତିକ ଫାଇଦା ପାଇଁ । ମାଳ ମାଳ ପ୍ରତିଶ୍ରୁତି ଦେଇଯାଇଥିଲେ ହେଁ କିଛି ପୂରଣ କଲେନାହିଁ । ଆମେ ଯେଉଁ ସ୍ଥିତିରେ ଥିଲୁ ସେହି ଅବସ୍ଥାରେ ବଞ୍ଚିଛୁ ।’ ସବୁ ଦଳ ଚାଷୀଙ୍କ ପ୍ରତି ନିଜର ଦରଦ ଦର୍ଶାଉଥିବାବେଳେ ଏଭଳି କଥା କହିଛନ୍ତି ମୃତ ଚାଷୀଙ୍କ ପରିବାର ଲୋକେ ।
ଓଡ଼ିଶାର ଭାତହାଣ୍ଡି ବୋଲାଉଥିବା ବରଗଡ଼ ଜିଲ୍ଲାର ଅତାବିରା । ଚାଷ ଏବଂ ଚାଷୀକୁ ନେଇ ସାରା ରାଜ୍ୟରେ ପ୍ରସିଦ୍ଧି ହାସଲ କରିବା ଏହି ଅଞ୍ଚଳ ବେଶ କିଛି ବର୍ଷ ଧରି ଚାଷୀ ଆତ୍ମହତ୍ୟାକୁ ନେଇ ଚର୍ଚ୍ଚାରେ ରହିଛି । କହିବାକୁ ଗଲେ ପ୍ରତିବର୍ଷ ଏଠାରେ ଚାଷୀ ଆତ୍ମହତ୍ୟା ଘଟଣା ଘଟୁଛି । ଋଣଗ୍ରସ୍ତ ହୋଇ କୀଟନାଶକ ପିଇ ଜୀବନ ହାରୁଛି ନିରୀହ ଚାଷୀ । ଯାହାକି ଶାସକ ଦଳ ଏବଂ ସରକାରୀ କଳକୁ ଘେରିବାକୁ ବିରୋଧୀଙ୍କୁ ବେଶ ଭଲ ଖୋରାକ ଯୋଗାଉଛି । ରାହୁଲ ଗାନ୍ଧୀଙ୍କ ପରି ରାଷ୍ଟ୍ରୀୟ ନେତା ମଧ୍ୟ ଏହି ସୁଯୋଗର ହାତଛଡ଼ା କରିନାହାଁନ୍ତି । ତେବେ ମୃତ ଚାଷୀର ନାଁକୁ ଏବଂ ପରିବାର ଲୋକଙ୍କ ଆଖିର ଲୁହକୁ ଏମାନେ କେବଳ ରାଜନୈତିକ ଅଭିଳାଷ ପୂରଣ ପାଇଁ ବ୍ୟବହାର କରିଛନ୍ତି । ମୃତ ଚାଷୀ ବୃନ୍ଦା ସାହୁଙ୍କ ଝିଅ ଏବଂ ସାନନ୍ଦ କଠାରଙ୍କ ପୁଅ ନିଜେ ଇଟିଭିକୁ ଏ କଥା କହିଛନ୍ତି ।
ନିର୍ବାଚନ ସମୟରେ ଚାଷୀ ଆତ୍ମହତ୍ୟା ଘଟଣା ଘଟିଲେ ହାଇପ୍ରୋଫାଇଲ ନେତାଙ୍କ ଡ୍ରାମାରେ ଛନ୍ଦି ହୋଇଯାଇଥାନ୍ତି ଚାଷୀ ପରିବାର | ତେବେ ଚାଷୀ ଆତ୍ମହତ୍ୟା କରିଥିବା ପରିବାରକୁ ମାଳ ମାଳ ପ୍ରତିଶ୍ରୁତି ଓ କେବଳ ସହାନୁଭୂତି ଦେଇ ପରବର୍ତ୍ତୀ ମୁହୂର୍ତ୍ତରେ ଭୁଲିଯିବା ଏଠିକାର ନେତାଙ୍କ ବହୁ ପୁରୁଣା ଅଭ୍ୟାସ । ନେତାମାନେ କେବଳ ମୃତ ଚାଷୀଙ୍କ ନାମରେ ପବ୍ଲିସିଟି ଷ୍ଟଣ୍ଟ କରୁଥିବା କହିଛନ୍ତି କଳାପାଣିରେ ଆତ୍ମହତ୍ୟା କରିଥିବା ଚାଷୀ ବୁନ୍ଦା ସାହୁଙ୍କ ଝିଅ । ଚକଡ଼ା ପୋକ ଜନିତ ଫସଲ ନଷ୍ଟ କାରଣରୁ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ବୁନ୍ଦା ସାହୁ ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ । ଏତିକି ବେଳେ ବିଜେପି, ବିଜେଡି ଓ କଂଗ୍ରେସ ସମସ୍ତ ଦଳର ବଡ଼ ବଡ଼ ନେତା ମୃତ ଚାଷୀଙ୍କ ପରିବାରକୁ ଭେଟି ବହୁ ମିଛ ପ୍ରତିଶ୍ରୁତି ଦେଇଥିଲେ ।
ସେହିପରି ଦେବାହାଲ ଗ୍ରାମର ସାନନ୍ଦ କଠାର ମଧ୍ୟ କୀଟନାଶକ ଖାଇ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ପରିବାରକୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପହଞ୍ଚି ବହୁ ପ୍ରତିଶ୍ରୁତି ଦେଇଯାଇଥିଲେ । ଦେବାହାଲ ସ୍ଥିତ ତାଙ୍କ ଘରୁ ଅତାବିରା ପର୍ଯ୍ୟନ୍ତ ଚାଷୀ ବଞ୍ଚାଅ ପଦଯାତ୍ରା ଆରମ୍ଭ କରିଥିଲେ । ନେତାଙ୍କ ପ୍ରତିଶ୍ରୁତି ପରିବାର ମନରେ ବହୁ ଆଶା ଓ ଆକାଂକ୍ଷା ଭରିଦେଇଥିଲା । ହେଲେ ପରବର୍ତ୍ତୀ ମୁହୂର୍ତ୍ତରେ ମିଥ୍ୟା ହୋଇଥିଲା ସମସ୍ତ ପ୍ରତିଶ୍ରୁତି । ଶେଷରେ ପରିବାର ପୋଷଣ କରିବାକୁ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ପଡିଥିଲା ମୃତ ଚାଷୀ ସାନନ୍ଦ କଠାରଙ୍କ ୧୯ ବର୍ଷର ପୁଅକୁ ।
ବର୍ତ୍ତମାନ ନିର୍ବାଚନକୁ ନେଇ ନେତା ଓ ମନ୍ତ୍ରୀମାନେ ପୁଣି ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ ହାତେଇବାକୁ ତାଙ୍କର ପ୍ରଚାର ପ୍ରସାର ଚଳାଇଛନ୍ତି । ଏତିକିବେଳେ ଆତ୍ମହତ୍ୟା କରିଥିବା ଚାଷୀ ପରିବାରଙ୍କ ମଧ୍ୟରେ ନେତାଙ୍କ ପ୍ରତି ଆକ୍ରୋଶ ଓ ତିରସ୍କାରର ଭାବନା ଦେଖାଦେଇଛି । ସମସ୍ତେ ଲୋକ ଦେଖାଣିଆ କଥା କୁହନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି ।
ବରଗଡ଼ରୁ ରାଜେଶ ସରାପ, ଇଟିଭି ଭାରତ