ଭୁବନେଶ୍ବର: କିଏ ହେବେ ଭାରତର ପରର୍ବତ୍ତୀ ପ୍ରଧାନମନ୍ତ୍ରୀ । ରାଜ୍ୟ ଶାସନ ଭାର ରହିବ କାହା ହାତରେ । ଏବେ ଏମିତି ପ୍ରଶ୍ନ ନେତାଙ୍କ ଠାରୁ ଜନତାଙ୍କ ମନରେ ଉଙ୍କି ମାରୁଥିବାବେଳେ ଗତକାଲିର ଏକଜିଟ ପୋଲ ବା ବୁଥ ବାହୁଡା ମତକୁ ନେଇ ଏବେ ସରଗରମ ହୋଇପଡିଛି ରାଜନୀତି । ନିର୍ବାଚନ ପୂର୍ବରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟରେ 21ରୁ 21 ଲୋକସଭା ଆସନ ଜିତିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ।
ହେଲେ ଗତକାଲିର ଏକଜିଟ ପୋଲ ଆସିବା ପରେ ବଦଳିଯାଇଛି ବିଜେଡି ନେତାଙ୍କ ସ୍ବର । ଦଳ ଯେ ସମସ୍ତ ଲୋକସଭା ଆସନରେ ବିଜୟୀ ହେବ ନାହିଁ ଏହା ପରୋକ୍ଷରେ ସ୍ବୀକାର କରିବା ଆରମ୍ଭ କରିଛି । ଏକଜିଟ ପୋଲକୁ ନେଇ ବିଜେଡି ମୁଖ୍ୟ କିଛି କହିନଥିବା ବେଳେ ଦଳର ଉପସଭାପତି ମୁହଁ ଖୋଲିଛନ୍ତି । ପ୍ରଫୁଲ୍ଲ କହିଛନ୍ତି ଓଡିଶାବାସୀ କେନ୍ଦ୍ରରେ ମୋଦି ଓଡ଼ିଶାରେ ନବୀନଙ୍କୁ ଭୋଟ ଦେଇଛନ୍ତି ।
ଗତଥର ପରି ବିଜେଡି ସଂପୂର୍ଣ ଲୋକସଭା ସିଟ ପାଇବ ନାହିଁ, କିଛି କମିଯିବ। ବିଜେପି ଏଥର ଭଲ କରିଛି, ତେଣୁ ବିଜେପି କିଛି ଲୋକସଭା ସିଟ ପାଇବା ନିଶ୍ଚିତ ବୋଲି ପ୍ରଫୁଲ୍ଲ କହିଛନ୍ତି । ଯେହେତୁ ବିଜେପିର କେନ୍ଦ୍ରୀୟ ନେତା ଓଡିଶାକୁ ଅଧିକ ଫୋକସ କରିଥିଲେ ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ରାଜ୍ଯରେ ଘନଘନ ପ୍ରଚାର କରିଛନ୍ତି । ଯାହାର ପ୍ରଭାବ ପଡିଛି ତେଣୁ ବିଜେପି କିଛି ଲୋକସଭା ଆସନରେ ବିଜୟୀ ହେବ ବୋଲି କହିଛନ୍ତି ଏହି ବରିଷ୍ଠ ନେତା ।
ଏହାସହ ଉପକୂଳ ସହ ପଶ୍ଚିମ ଓଡିଶାରେ ଦଳ ଲୋକସଭା ଆସନରେ ବିଜୟୀ ହେବ ବୋଲି କହିଛନ୍ତି ବିଜେଡି ଉପସଭାପତି ପ୍ରଫୁଲ୍ଲ ଘଡାଇ । ଏପରିକି ଅନେକ ଆସନରେ ବିଜେଡି ବିଜେପି ମଧ୍ୟରେ କଡା ଟକ୍କର ହୋଇଥିବା କହିଛନ୍ତି ପ୍ରଫୁଲ୍ଲ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ