ଭୁବନେଶ୍ବର: ଭୋଟ ତାରିଖ ଯେତେ ପାଖେଇ ଆସୁଛି ସବୁ ରାଜନୈତିକ ଦଳ ଭିତରେ ବଢୁଛି ବ୍ୟଗ୍ରତା । ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟରଙ୍କୁ ମନେଇବାକୁ ଆରମ୍ଭ କରିଛନ୍ତି ରୀତିମତ ଉଦ୍ୟମ । ନିଜ ନିଜ ଶୈଳୀରେ ଏବେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଏମାନେ ଜୋରଦାର ପ୍ରଚାରକୁ ଗୁରୁତ୍ବ ଦେଉଛନ୍ତି ।
ତେବେ ଭୁବନେଶ୍ବର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହୋଇଛନ୍ତି ଜଗନ୍ନାଥ ପ୍ରଧାନ । ସମର୍ଥକଙ୍କ ଗହଣରେ ଦିନ ରାତି ଲାଗିପଡିଛନ୍ତି ପ୍ରଚାର କାର୍ଯ୍ୟରେ । ଏଥର ତାଙ୍କ ପାଇଁ ମୁଖ୍ୟ ପ୍ରସଙ୍ଗ ପାଲଟିଛି ସ୍ଥାନୀୟ ସମସ୍ୟା । ମଧ୍ୟ ନିର୍ବାଚନ ମଣ୍ଡଳୀରେ କଲ୍ୟାଣ ମଣ୍ଡପ ସମସ୍ୟାଠାରୁ ଆରମ୍ଭ କରି ରାସ୍ତାଘାଟ, ଡ୍ରେନେଜ ସମସ୍ୟା ସମାଧାନର ପ୍ରତିଶ୍ରୁତି ନେଇ ସେ ଭୋଟରଙ୍କ ପାଖକୁ ଯାଉଛନ୍ତି । ଏହା ସହ ମୋଦି ସରକାରଙ୍କ ନେତୃତ୍ବର ସଫଳତା କଥା ମାଧ୍ୟମରେ ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି । ହାଇଟେକ ପ୍ରଚାରକୁ ଗୁରୁତ୍ବ ଦେଉଛନ୍ତି ଜଗନ୍ନାଥ ପ୍ରଧାନ । ଏଲଇଡି ଭ୍ୟାନ ମାଧ୍ୟମରେ ପ୍ରଚାର ବି ଜୋରଦାର ହେଉଛି ।
ବିଜେଡି ହେଭିୱେଟ ତଥା ମନ୍ତ୍ରୀ ଅଶୋକ ପଣ୍ଡା ତୃତୀୟ ଥର ପାଇଁ ଏକାମ୍ର ନିର୍ବାଚନ ମଣ୍ଡଳୀରୁ ଶାସକ ଦଳ ପ୍ରାର୍ଥୀ ଭାବେ ଲଢ଼ୁଛନ୍ତି । ବସ୍ତି ବାସିନ୍ଦାଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହ ଆମେ ଅଛୁ । ଲୋକମାନଙ୍କ ସମସ୍ୟାକୁ ଆମେ ଅଗ୍ରାଧୀକାର ଦେଉଛୁ । ନବୀନ ସରକାରଙ୍କ ୧୯ ବର୍ଷର ସଫଳତା କଥା କହି ଅଶୋକ ପଣ୍ଡା ଭୋଟ ମାଗୁଛନ୍ତି । ତାଙ୍କର ସ୍ଲୋଗାନ ରହିଛ "ବିଜେଡି ଦଳ ଏକାମ୍ରବାସୀଙ୍କ ବଳ ।"
ଅଧିକ ପଢନ୍ତୁ: ନକ୍ସଲି ଇଲାକାରେ କୁମ୍ବିଂ ଅପରେସନ, ଯାଞ୍ଚ ହେଉଛି ଯାନବାହାନ
ଏଥର ନିର୍ବାଚନ ମୈଦାନରେ ଥିବା କଂଗ୍ରେସର ଯୁବ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହୋଇଛନ୍ତି । ବେରୋଜଗାର ତଥା ସ୍ମାର୍ଟସିଟିର ଦୟନୀୟ ସ୍ଥିତି ସୁଧାରିବା ପାଇଁ ସେ ଅଣ୍ଟା ଭିଡ଼ିଛନ୍ତି ବୋଲି ଭୋଟରଙ୍କୁ ପ୍ରତିଶ୍ରୁତି ଦେଉଛନ୍ତି । ମହିଳାଙ୍କ ସୁରକ୍ଷା, ଡ୍ରେନେଜ ସମସ୍ୟାକୁ ବଡ ପ୍ରସଙ୍ଗ କରି ଯୁବବର୍ଗ ତାଙ୍କୁ ସମର୍ଥନ ଦେବେ ବୋଲି ସେ ଆଶା ରଖିଛନ୍ତି ।
ତେବେ ପ୍ରସଙ୍ଗ ଓ ପ୍ରଚାରର ମାଧ୍ୟମ ଭିତରେ ଭୋଟରମାନେ କାହାକୁ ପସନ୍ଦ କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ