କୋରାପୁଟ: ଦିନେ ହାତରେ ବନ୍ଧୁକ ଧରି ଯିଏ ଗଣତାନ୍ତ୍ରିକ ବ୍ୟବସ୍ଥା ବିରୋଧ ରେ ସ୍ବର ଉତ୍ତୋଳନ କରି ହିଂସାତ୍ମକ ପଥ ଅବଲମ୍ବନ କରିଥିଲା, ଆଜି ସେଇ ବ୍ୟକ୍ତି ମୁଖ୍ୟ ସ୍ରୋତ ରେ ସାମିଲ ହୋଇ ବ୍ୟବସ୍ଥା କୁ ସୁଧାରିବା ପାଇଁ ଲୋକ ପ୍ରତିନିଧି ଭାବେ ନିର୍ବାଚନ ଲଢ଼ୁଛି । ଆମେ କହୁଛୁ ନାରାୟଣପାଟଣା ଅଞ୍ଚଳର ରାଜେନ୍ଦ୍ର କେନଡୃକା ଯିଏକି 2013 ମସିହାରେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ।
ଚଳିତ ନିର୍ବାଚନରେ କୋରାପୁଟ ଲୋକସଭା ଆସନ ପାଇଁ ସେ ଜଣେ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। କୋରାପୁଟ ଲୋକସଭା ଆସନ ପାଇଁ ବିଜେଡି, ବିଜେପି, କଂଗ୍ରେସ ବ୍ୟତିତ ସିପିଆଇ (ଏମଏଲ)ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି ରାଜେନ୍ଦ୍ର କେନଡୃକା ,ଯାହାଙ୍କୁ ନେଇ ଏବେ ଚଲିଛି ଆଲୋଚନା।
କୋରାପୁଟରେ ଦେଖାଦେଇଥିବା ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନର ନେତୃତ୍ବ ନେଉଥିବା ଜଣେ ଆଗଧାଡ଼ିର ନେତା ଥିଲେ ରାଜେନ୍ଦ୍ର କେନଡୃକା। ପରେ ତାଙ୍କୁ ମାଓବାଦୀ ବୋଲି କୋରାପୁଟ ପୋଲିସ ଗିରଫ କରିବା ପରେ ସେ 2013 ମସିହାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ପରେ ସେ ଜାମିନରେ ଆସି ସିପିଆଇ (ଏମଏଲ) ଦଳ ପାଇଁ କାର୍ଯ୍ୟ କରିଚାଲିଲେ।
2019 ନିର୍ବାଚନରେ ରାଜେନ୍ଦ୍ର କୋରାପୁଟ ଲୋକସଭା ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଯାଞ୍ଚପରେ ଜଣା ପଡିଛିଯେ ରାଜେନ୍ଦ୍ର ହେଉଛନ୍ତି ଦେଶର ସବୁଠାରୁ ଗରିବ ଲୋକସଭା ପ୍ରାର୍ଥୀ। ବର୍ତ୍ତମାନ ତାଙ୍କ ପାଖରେ ବ୍ୟାଙ୍କ ଜମା 500 ଟଙ୍କା ଥିବାବେଳେ ପାଖରେ କେବଳ 55ଟଙ୍କା ଅଛି । ରାଜେନ୍ଦ୍ର କେନ୍ଦୃକା କହିଛନ୍ତି ତାଙ୍କ ପାଖରେ ଟଙ୍କା ନଥିଲେ ମଧ୍ୟ ସେ ନିର୍ବାଚନ ଲଢିବେ, ତାଙ୍କୁ ଲୋକମାନେ ସହାୟତା କରୁଛନ୍ତି ବୋଲି କହିଛନ୍ତି ରାଜେନ୍ଦ୍ର।
ଏହାସହ ସେ ଆହୁରି ସଂଗୀନ ଅଭିଯୋଗ କରିଛନ୍ତି ଯେ ସରକାର ସେ ଅଞ୍ଚଳର ଜମି, ଜଳ, ଜଙ୍ଗଳ ସବୁ କମ୍ପାନୀ ହାତରେ ବିକ୍ରି କରିଦେଉଛନ୍ତି ଏହାକୁ ବିରୋଧ କରିବା ସହ ଗରୀବ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସେ ଲଢେଇ କରିବେ ବୋଲି କହିଛନ୍ତି।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ