ବରଗଡ଼: ବରଗଡ଼ ଜିଲ୍ଲାର ୩ଗୋଟି ବୁଥରେ ଗୁରୁବାର ସକାଳୁ ସାନି ମତଦାନ ଆରମ୍ଭ ହୋଇଛି । ଜିଲ୍ଲାର ମାଓ ପ୍ରବଣ ଅଞ୍ଚଳରେ ଥିବା ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଡ଼ଭା ବୁଥ୍ ନଂ-୧୬ରେ ସକାଳ ୭ଟା ରୁ ୪ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ସେପଟେ ସାନି ମତଦାନ ସମୟରେ ଅତାବିରା ବିଧାନସଭାର ଅରେଗୁଡ଼ି ବୁଥରେ ସମସ୍ତ ଦଳର ପ୍ରାର୍ଥୀମାନେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଥିଲା । ବିଜେଡ଼ି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ ପ୍ରାର୍ଥୀ ନିହାର ରଞ୍ଜନ ମହାନନ୍ଦ ଓ ବିଜେପି ଦଳର ପ୍ରାର୍ଥୀ ମିଳନ ସେଠ ଉକ୍ତ ବୁଥରେ ନଜର ଆସିଥିଲେ ।
ସେହିପରି ବରଗଡ଼ ବିଧାନସଭା ବୁଥ୍ ନଂ-୬୮ ଓ ଅତାବିରା ନିର୍ବାଚନ ମଣ୍ଡଳୀ ଅଧିନ ଭେଡ଼େନ ବ୍ଲକ ଅରେଇଗୁଡ଼ି ବୁଥ ନଂ-୨୩୫ରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବ । ସମସ୍ତ ଭୋଟ ଗ୍ରହଣ କେନ୍ଦ୍ରରେ ମତଦାନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟର ମାନଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ।
ତେବେ ପଦ୍ମପୁର ଡଭା ବୁଥ ନଂ-୧୬ରେ ୧୧୪୫ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରେ ୫୭୪ ଜଣ ପୁରୁଷ ଓ ୫୭୧ ଜଣ ମହିଳା ଭୋଟର ରହିଛନ୍ତି । ତେଣୁ ଏହି ବୁଥରେ ବୁଧବାର ଅପରାହ୍ନ ୧ଟା ପର୍ଯ୍ୟନ୍ତ ୪୪. ୬୩% ମତଦାନ ହୋଇଥିଲା । ସେହିପରି ଅରେଇଗୁଡ଼ି ଭୋଟ ଗ୍ରହଣ କେନ୍ଦ୍ର ବୁଥ୍ ନଂ-୨୩୫ରେ ସମୁଦାୟ ୧୧୩୧ ଜଣ ଭୋଟର ରହିଥିବା ବେଳେ ୬୦୨ ପୁରୁଷ ଓ ୫୨୯ ମହିଳା ଭୋଟର ରହିଛନ୍ତି । ଏହି ବୁଥ୍ରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଏଠାରେ ୪୪.୫୬ % ମତଦାନ ହୋଇଥିଲା ।
ଏଥିସହ ବରଗଡ଼ ବିଧାନସଭା ଶକ୍ତିନଗର ଭୋଟ ଗ୍ରହଣ କେନ୍ଦ୍ର ୬୮ନମ୍ବର ବୁଥରେ ସମୁଦାୟ ୧୩୫୭ ଜଣ ଭୋଟର ରହିଥିବା ବେଳେ ୬୮୩ ଜଣ ପୁରୁଷ ଓ ୬୭୪ ଜଣ ମହିଳା ଭୋଟର ରହିଛନ୍ତି । ଏଠାରେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩୭.୨୧ % ମତଦାନ ହୋଇଥିଲା ।
ବରଗଡରୁ ରାଜେଶ କୁମାର ସରାପ, ଇଟିଭି ଭାରତ