ବିହାର: ନିର୍ବାଚନୀ ସମୟ ଯେତିକି ପାଖେଇ ଆସୁଛି ସେତିକି ତେଜୁଛି ପ୍ରଚାର ତାତି । ଏହାସହ ମଧ୍ୟ ବଢିବାରେ ଲାଗିଛି ବିବାଦୀୟ ବୟାନ। ପ୍ରଥମେ ବିଏସପି ମୁଖ୍ୟ ମାୟାବତୀ ଓ ଏବେ କଂଗ୍ରେସ ନେତା ନବଜ୍ୟୋତ ସିଂ ସିଦ୍ଧୁଙ୍କ ବୟାନ ଚର୍ଚ୍ଚାର ମହୋଲ ସୃଷ୍ଟି କରିଛି । ତେବେ ବିହାରର କଟିହାରରେ ନିର୍ବାଚନୀ ପ୍ରଚାର ସମୟରେ ସିଦ୍ଧୁ ମୁସଲିମ ସମ୍ପ୍ରଦାୟକୁ ଏକଜୁଟ ହୋଇ ଭୋଟ ଦେବା ପାଇଁ ଅପିଲ କରିଛନ୍ତି ।
ମଙ୍ଗଳବାର ସିଦ୍ଧୁ ବିହାରର କଟିହାର ସଂସଦୀୟ କ୍ଷେତ୍ର ବଳରାମପୁର ବିଧାନସଭାର ବାରସୋଇରେ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ଏହି ସଭାରେ ମୁସଲିମ ସମ୍ପ୍ରଦାୟଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ସିଦ୍ଧୁ । ଦେଶରେ ମୁସଲିମ ସଂପ୍ରଦାୟକୁ ଅଳ୍ପ ସଂଖ୍ୟକ କୁହାଯାଉଛି । କିନ୍ତୁ ଯଦି ସମସ୍ତ ମୁସଲିମ ଏକତ୍ରିତ ହୋଇ ଭୋଟ ଦେବେ ତେବେ ଆଶାୟୀ ପ୍ରାର୍ଥୀ ତାରିକ ଅନବରଙ୍କ ବିଜୟୀ ସୁନିଶ୍ଚିତ ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ 64 ପ୍ରତିଶତ ମୁସଲିମ ସଂପ୍ରଦାୟ ଅଛନ୍ତି । ମୁସଲମାନ ହେଉଛନ୍ତି ଆମର ପଗଡି । ଯଦି କେବେ କୌଣସି ଅସୁବିଧାରେ ପଡନ୍ତି ତେବେ ମୋତେ ମନେ ପକାନ୍ତୁ । ମୁଁ ପଞ୍ଜାବରେ ରହି ମଧ୍ୟ ଆପଣଙ୍କ ସମସ୍ୟାର ସମାଧାନ କରିବି । ବିରୋଧୀଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ଏମାନେ ମୁସଲିମଙ୍କୁ ବିଭକ୍ତ କରୁଛନ୍ତି । ଓୱେସୀଙ୍କ ଭଳି ପ୍ରାର୍ଥୀଙ୍କୁ ଆଣି ଭୋଟ ହାତେଇବା ସହ ଜିତାଇବାକୁ ଚେଷ୍ଟା କରୁଛନ୍ତି । ଯଦି ଆପଣ ସମସ୍ତେ ଏକାଠି ହୋଇ ସମର୍ଥନ କରନ୍ତି ତେବେ କଂଗ୍ରେସର ବିଜୟ ସହ ମୋଦି ସରକାର ନିଶ୍ଚିତ ହାରିବେ । ଚଳିତ ନିର୍ବାଚନରେ ଏମିତି ଛକା ମାରନ୍ତୁ ଯେମିତି ମୋଦି ବାଉଣ୍ଡ୍ରି ପାର ହୋଇଯିବେ ।
ବିହାର କଟିହାରରେ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କ ବିବାଦୀୟ ବୟାନ ନେଇ ଅଭିଯୋଗ ପରେ ଜିଲ୍ଲାପାଳଙ୍କୁ ସିଦ୍ଧୁଙ୍କ ଭାଷଣର ଭିଡିଓ ମାଗିଲେ ନିର୍ବାଚନ କମିଶନ ।