ଭଦ୍ରକ: କୋଭିଡ କଟକଣା ଯାଞ୍ଚ ବେଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ହାତରେ ଧରା ପଡିଲା ପେଶାଦାର ବ୍ରାଉନ ସୁଗାର ବ୍ୟବସାୟୀ। ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ କୋଭିଡ କଟକଣା ଅମାନିଆଙ୍କୁ ଧରିବାକୁ ଜଗିଥିଲା ପୋଲିସ। ଏହି ସମୟରେ ବାଲେଶ୍ବରରୁ ଏକ ନମ୍ବର ବିହିନ ଧଳାକାରକୁ ଯାଞ୍ଚ ପାଇଁ ଅଟକାଇଥିଲା ପୋଲିସ। ହେଲେ ଏହି କାରଟି ସେଠାରେ ଅଟକିବା ବଦଳରେ କୁପାରି ଅଭିମୁଖେ ଦ୍ରୁତ ଗତିରେ ଚମ୍ପଟ ମାରିଥିଲା ।
ସନ୍ଦେହ କରି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ କାର ପିଛା କରି କାବୁ କରିବାରେ ସଫଳ ହୋଇଥିଲା। ତେବେ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିଲା। ଯାଞ୍ଚ ବେଳେ ଗାଡିରେ ଥିବା ଦୁଇଜଣଙ୍କ ନିକଟରୁ ସାଢ଼େ ଦଶଗ୍ରାମ ଓଜନର ବ୍ରାଉନସୁଗାର ପୋଲିସ ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ସାଢେ ଦଶ ଲକ୍ଷ ଟଙ୍କାରୁ ଅଧିକ ହେବା ନେଇ ପୋଲିସ ସୂଚନା ଦେଇଛି।
ସେପଟେ ଫେରାର ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ଜଣକ ବିପୁଳ ପରିମାଣର ବ୍ରାଉନ ସୁଗାର ନେଇ ଚମ୍ପଟ ମାରିଛି ବୋଲି କହିଛନ୍ତି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଯତୀନ ପଣ୍ଡା। ଖୁବଶୀଘ୍ର ଅଭିଯୁକ୍ତ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ଜୋରଦାର ତଦନ୍ତ ଆରମ୍ଭ ହୋଇଛି। ବାରମ୍ବାର ଭଦ୍ରକ ଜିଲ୍ଲାରୁ ବ୍ରାଉନସୁଗାର ଜବତ ହେଉଛି। ଏହି ଘଟଣାକୁ ମିଶାଇ ମୋଟ 3 ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ଗୋଟିଏ କାର, ଦୁଇଟି ଛୁରୀ, ଗୋଟିଏ ଖଣ୍ଡା, ଗୋଟିଏ ବାଡି ଓ ଦୁଇଟି ଖେଳଣା ବନ୍ଧୁକକୁ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ