ସମ୍ବଲପୁର: ନିର୍ବାଚନ ବିଗୁଲ୍ ବାଜିବା ପରେ ଚଳଚଞ୍ଚଳ ହୋଇଉଠିଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର ସମ୍ବଲପୁର । ଏହି ସମ୍ମାନଜନକ ବିଧାନସଭା ଆସନକୁ ହାତେଇବା ପାଇଁ ରାଜନୈତିକ ଗୋଟି ଚାଳନା ଜାରି ରହିଛି । ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗି ପଡିଛନ୍ତି ଦଳୀୟ ମଙ୍ଗୁଆଳ । ସମର୍ଥକଙ୍କୁ ସାଥିରେ ବିଭିନ୍ନ ଦଳର ପ୍ରାର୍ଥୀ ପ୍ରଚାର ମାଧ୍ୟମରେ ଭୋଟରଙ୍କ ମନ ଜିତିବା ପାଇଁ ଚଳାଇଛନ୍ତି ଉଦ୍ୟମ । ନିର୍ବାଚନରେ କାହାର ଜିତାପଟ ହେବ ତାହା ଫଳାଫଳ ଆସିବା ପରେ ଜଣାପଡିବ।
ନିର୍ବାଚନର ତାରିଖ ପାଖେଇ ଆସୁଥିବା ବେଳେ ପ୍ରାର୍ଥୀ ଘୋଷଣା କାମ ଚୟନ କାମ ସାରି ଦେଇଛନ୍ତି ସବୁ ଦଳ । ବିଜେଡିରୁ ରାସେଶ୍ବରୀ ପାଣିଗ୍ରାହୀ, ବିଜେପିରୁ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସରୁ ଅଶ୍ବିନୀ ଗୁରୁ ପ୍ରମୁଖ ସମ୍ବଲପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ଗତଥର ଭଳି ଏଥର ବିଜେପି-ବିଜେଡି ମଧ୍ୟରେ ସିଧା ମୁକାବିଲା ହେବ । ଏଥର କଂଗ୍ରେସ ନିର୍ଣ୍ଣାୟକ ଭୂମିକାରେ ଅବତୀର୍ଣ୍ଣ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।
2014 ବିଧାନସଭା ନିର୍ବାଚନରେ ବାଜି ମାରି ନେଇଥିଲେ ବିଜେଡି ପ୍ରାର୍ଥୀ ରାସେଶ୍ବରୀ । ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀଥିଲେ ବିଜେପିର ଜୟନାରାୟଣ । କଂଗ୍ରେସ ପ୍ରତିଦ୍ବନ୍ଦ୍ବୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ଥିଲା । ଏପରିକି ଦଳର ଭୋଟ ମଧ୍ୟ ବିଜେଡି ଖାତାକୁ ଚାଲି ଯାଇଥିଲା । ଯାହାର ଫାଇଦା ଉଠାଇଥିଲା ବିଜେଡି । ଦଳୀୟ ପ୍ରାର୍ଥୀରାସେଶ୍ବରୀ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
ନିଜର ପୁରୁଣା ଗଡ ଫେରିବାକୁ ପାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛି ବିଜେପି । 2017 ହୋଇଥିବା ଜିଲ୍ଲା ପରିଷଦ ନିର୍ବାଚନରେ ଦଳର ଏକତରଫା ବିଜୟ ହୋଇଥିଲା । ଏହି ସଫଳତା ବିଜେପି ଶିବିରରେ ଉତ୍ସାହର ମାହୋଲ ସୃଷ୍ଟି କରି ଦେଇଥିଲା । ଏହାକୁ ଦୋହୋରାଇବା ଲକ୍ଷ୍ୟରେ ରହିଛି ଦଳ । କ୍ରମାଗତ ଭାବେ ତିନିଥର ଏହି ଆସନକୁ ନିଜ ଦଖଲରେ ରଖିଛି ବିଜେପି । ଏଠାରୁ ଦଳର ଆଶାୟୀ ଜୟ ନାରାୟଣ ମିଶ୍ର ଲଗାତାର 2000, 2004, 2009ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
କଂଗ୍ରେସ ମଧ୍ୟ ଏଥର ପଛରେ ପଡିନାହିଁ । ସମ୍ବଲପୁରକୁ ଦଖଲ କରିବା ପାଇଁ ଚାଲିଛି ଉଦ୍ୟମ । କିପରି ଏଠାରୁ ଦଳୀୟ ପ୍ରାର୍ଥୀଙ୍କ ବିଜୟ ହେବସେନେଇ ଗୋଟି ଚାଳନା କରୁଛନ୍ତି ଦଳୀୟ ମଙ୍ଗୁଆଳ । ଯଦି କଂଗ୍ରେସ ଗତ ଥରର ନିର୍ବାଚନ ଅପେକ୍ଷା ଅଧିକ ଭୋଟ ପାଏ, ଏହା ବିଜେପିକୁ ସୁହାଇବ ବୋଲି ଚର୍ଚ୍ଚା ହେଉଛି।
ଏହି ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସ୍ଥାନୀୟ ସମସ୍ୟା ଉପରେ ଏଥର ଗୁରୁତ୍ବାରୋପ କରିଛନ୍ତି ସବୁଦଳ। ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ, ବସ୍ତି ପିଲାଙ୍କ ପାଇଁ ମାଗଣା ଶିକ୍ଷା, ବାସଗୃହ, ମାଗଣା ବିଦ୍ୟୁତ ସେବା ଓ ସମ୍ବଲପୁରର ସର୍ବାଙ୍ଗୀନ ଉନ୍ନତି ଆଦି ପ୍ରସଙ୍ଗକୁ ନେଇ ନିର୍ବାଚନକୁ ଓହ୍ଲାଇଛି ବିଜେଡି।ସେହିପରି ବିଜେପି ଅଫିସର ରାଜ, ଠିକାଦାର ପୋଷିବା ଆଦି ପ୍ରସଙ୍ଗକୁ ରଖି ଜନ ସମର୍ଥନ ଯୋଗାଡ କରିବାରେ ଲାଗିପଡିଛି । ଅନ୍ୟପଟେ କଂଗ୍ରେସ କୃଷି ଓ କୃଷକ ସମସ୍ୟା, ଚାଷୀ ଆତ୍ମହତ୍ୟା ଏବଂ ମୌଳିକ ସୁବିଧାଆଦିକୁ ପ୍ରସଙ୍ଗ ଭାବେ ନେଇ ଭୋଟରଙ୍କ ନିକଟେର ପହଞ୍ଚିଛି।
2019 ନିର୍ବାଚନରେ ଜନତା ଜନାର୍ଦ୍ଦନଙ୍କ ସମର୍ଥନ କାହାକୁ ମିଳିବ ଏବଂ କିଏ ଏଠାରେ ବିଜୟ ମୁକୁଟ ପିନ୍ଧିବ ତାହା ନିର୍ବାଚନ ଫଳାଫଳ ଆସିବା ପରେ ଜଣାପଡିବ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ