ସମ୍ବଲପୁର: ସମ୍ବଲପୁର ହେଉଛି ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର । 2013 ନଭେମ୍ବର ମାସରେ ସମ୍ବଲପୁର ସହରକୁ ମହାନଗର ନିଗମର ମାନ୍ୟତା ମିଳିଥିଲା। ତେବେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମର ପୌର ନିର୍ବାଚନ ହୋଇପାରି ନାହିଁ। ବୁର୍ଲାରେ ମତଦାତାଙ୍କ ଅନୁସାରେ ୱାର୍ଡ ସଂରକ୍ଷଣ ହୋଇନଥିବା ଅଭିଯୋଗ ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବା ପରେ ଏହା ଆଜି ପର୍ଯ୍ୟନ୍ତ ହାଇକୋର୍ଟରେ ଗଡୁଛି। ଆଉ ମହାନଗର ନିଗମର ଘୋଷଣାର 6 ବର୍ଷ ବିତିଯାଇଥିଲେ ମଧ୍ୟ ନିର୍ବାଚନ ହୋଇ ପାରିନାହିଁ। ଏଥିପାଇଁ ବିରୋଧୀ ଦଳ ଗୁଡିକ ରାଜ୍ୟ ସରକାରଙ୍କ ଆନ୍ତରିକତାର ଅଭାବ ଯୋଗୁଁ ନିର୍ବାଚନ ହେଉନଥିବା ଓ ବର୍ତ୍ତମାନ ମହାନଗର ନିଗମରେ ବାବୁ ରାଜ ଯୋଗୁଁ ଉନ୍ନତି ହୋଇ ପାରୁନି ବୋଲି ଅଭିଯୋଗ ହୋଇଛି।
ବର୍ତ୍ତମାନ ପଞ୍ଚାୟତ ନିର୍ବାଚନ ପରେ ପରେ ରାଜ୍ୟ ସରକାର ପୌରାଞ୍ଚଳ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ତେବେ ହାଇକୋର୍ଟରେ ମାମଲା ବିଚାରାଧୀନ ଥିବାରୁ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ହେବା ନେଇ ସମ୍ଭାବନା ଦେଖାଯାଉନାହିଁ। 2013 ନଭେମ୍ବର 15 ରେ ସମ୍ବଲପୁରକୁ ମହାନଗର ନିଗମର ମାନ୍ୟତା ରାଜ୍ୟ ସରକାର ଘୋଷଣା କରିଥିଲେ। ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପାଇଁ 15 ଜାନୁଆରୀ 2015ରେ ରାଜ୍ୟ ସରକାର ଗେଜେଟ ନୋଟିଫିକେସନ ଜାରି କରିଥିଲେ। 13 ଫେବୃଆରୀ 2015 ରେ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ତାଲିକା ପ୍ରକାଶ ପାଇଥିଲା।
କିନ୍ତୁ ସମ୍ବଲପୁର ପୌର ପରିଷଦରେ ବୁର୍ଲା ଏନଏସି ଓ ହୀରାକୁଦ ଏନଏସି ସହ ଧନକଉଡା ଓ ମାନେଶ୍ବର ର 12 ଟି ପଞ୍ଚାୟତ ର 56 ଟି ଗାଁ କୁ ନେଇ ମହାନଗରର 41 ୱାର୍ଡ ଗଠନ ହୋଇଥିଲା। ତେବେ ବୁର୍ଲାର ଅଜୟ ମହାନ୍ତି ନାମକ ଜଣେ ଅବସର ପ୍ରାପ୍ତ କର୍ମଚାରୀ ମହାନଗର ନିଗମ ସଂରକ୍ଷଣ ବ୍ୟବସ୍ଥା ନେଇ ହାଇକୋର୍ଟରେ ଜନ ସ୍ବାର୍ଥ ମାମଲା ଦାଏର କରିବା ପରେ ହାଇକୋର୍ଟ ପୌର ନିର୍ବାଚନ ଉପରେ ରୋକ ଲଗାଇଛନ୍ତି । ଏହା ପରେ ଆଜି ପର୍ଯ୍ୟନ୍ତ ସମ୍ବଲପୁର ମହାନଗର ନିଗମରେ ପୌର ନିର୍ବାଚନ ହୋଇପାରିନି। ଫଳରେ ଜନ ପ୍ରତିନିଧିଙ୍କ ଅନୁପସ୍ଥିତିରେ ଉନ୍ନୟନ ମୂଳକ କାର୍ଯ୍ୟ ସବୁ ଧିମେଇ ଯାଇଥିବା ବିରୋଧୀ ଦଳ ନେତା ଅଭିଯୋଗ କରି ଆସୁଛନ୍ତି। ରାଜ୍ୟ ସରକାର ଜାଣି ଶୁଣି ସମ୍ବଲପୁରରେ ବାବୁ ରାଜ ଚଳେଇଛନ୍ତି ବୋଲି ବିରୋଧୀ କହିଛନ୍ତି।
ଅନ୍ୟପଟେ 6 ବର୍ଷ ହେଲା ସମ୍ବଲପୁର ମହାନଗର ନିଗମର ବାବୁରାଜ ଜାରି ରହିଛି। ବର୍ତ୍ତମାନର ସ୍ଥିତି ଦେଖିଲେ ନିକଟ ଭବିଷ୍ୟତରେ ନିର୍ବାଚନ ହେବାର ନାହିଁ। ଠିକ ସମୟରେ ନିର୍ବାଚନ ହୋଇଥିଲେ ଏବେ 5 ବର୍ଷିଆର ଗୋଟିଏ ଅବଧି ସାରିଯାଇଥାନ୍ତା। ଖାଲି ଏତିକି ନୁହେଁ ମହାନଗର ଅଧୀନକୁ ଆସିଥିବା 12ଟି ପଞ୍ଚାୟତର 56 ଟି ଗାଁରେ ଉନ୍ନୟନ ମୂଳକ କାର୍ଯ୍ୟ ଠପ ହୋଇଯାଇଛି। ଏପରି ସ୍ଥଳେ କେବେ ହେବ ମହାନଗର ନିଗମ ନିର୍ବାଚନ ତାହାକୁ ଅପେକ୍ଷା କରିଛନ୍ତି ମହାନଗର ନିଗମ ବାସୀ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ