ସମ୍ବଲପୁର: ଜିଲ୍ଲାର ଜଣେ ମହିଳା ଓଏଏସ ଅଧିକାରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ସମ୍ବଲପୁର ରେଙ୍ଗାଲି ତହସିଲର ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା । ସମ୍ବଲପୁର ଧନୁପାଲି ପୋଲିସ ତାଙ୍କୁ ଗିରଫ କରିଛି ।
ରେଙ୍ଗାଲିର ଅତିରିକ୍ତ ତହସିଲଦାର ପ୍ରଫୁଲ୍ଲ ବେହେରା ବିଗତ କିଛିଦିନ ହେଲା ସମ୍ବଲପୁର ନିକଟସ୍ଥ ଏକ ବ୍ଲକରେ କାର୍ଯ୍ୟରତ ଥିବା ଜଣେ ମହିଳା ଓଏଏସଙ୍କୁ ଅଶ୍ଳୀଳ ମେସେଜ ଦେଇ ଆସୁଥିଲେ ଓ ଅଶାଳୀନ ଇଙ୍ଗିତ କରିଆସୁଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଗତକାଲି ସନ୍ଧ୍ୟାରେ ମହିଳା ଓଏଏସଙ୍କ ସମ୍ବଲପୁରସ୍ଥିତ ଭଡା ଘରକୁ ଅଭିଯୁକ୍ତ ଅତିରିକ୍ତ ତହସିଲଦାର ଆସି ତାଙ୍କୁ ଅସଦାଚରଣ କରିଥିଲେ ।
ଏନେଇ ଧନୁପାଲି ଥାନାରେ ଅଭିଯୋଗ ହେବା ପରେ ଅଭିଯୁକ୍ତ ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରିଛି ପୋଲିସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଅତିରିକ୍ତ ଏସପି ସୂଚନା ଦେଇଛନ୍ତି । ଗିରଫ ଅତିରିକ୍ତ ତହସିଲଦାର ବିବାହିତ ବୋଲି ଜଣାପଡିଛି ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ