ସମ୍ବଲପୁର: ଦୁର୍ଘଟଣା ଘଟାଇ ଦିବାଲୋକରେ ଟାଉନ ଭିତରକୁ ମହାରାଷ୍ଟ୍ରର ଏକ ଟ୍ରକ ପଶିଆସିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇଥିବା ଦେଖିଥିବାକୁ ମିଳିଛି । ନିୟମ କଡାକଡି ସତ୍ତ୍ବେ ସହର ଭିତରକୁ କିପରି ଟ୍ରକଟି ପଶିଆସିଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।
ସମ୍ବଲପୁର ପରଧିଆପାଲି ଠାରେ ଦୁର୍ଘଟଣା ଘଟାଇ ମହାରାଷ୍ଟ୍ରର ଟ୍ରକଟି ଟାଉନ ଭିତରକୁ ପଶି ଯାଇଥିଲା । ହେଲେ ରାସ୍ତା ନପାଇବାରୁ ଡିଆଇଜି ଅଫିସ ପୂର୍ବରୁ ଥିବା ନିର୍ମାଣଧୀନ ଫ୍ଲାଇ ଓଭର ପାଖରେ ଫସି ଯାଇଥିଲା । ସହର ଭିତରେ ଟ୍ରକ ବାରଣ ଥିବା ବେଳେ ମହାରାଷ୍ଟ୍ରର ନମ୍ବର ଥିବା ଟ୍ରକ ଦେଖି ସହର ଭିତରେ ଲୋକେ ଭୟଭୀତ ହୋଇଯାଇଥିଲେ ।
ସମ୍ବଲପୁରରେ କୋରୋନା ମହାମାରୀକୁ ନେଇ ଲୋକେ ଯେତେ ସଚେତନ ସେତେ ମାତ୍ରାରେ ଭୟଭୀତ ମଧ୍ୟ । ଜିଲ୍ଲା ତଥା ରାଜ୍ୟ ବାହାରୁ କିଏ ଯଦି ଆସେ ତାକୁ ଯେଉଁ ହିସାବରେ ଭୟ କରୁଛନ୍ତି ନ କହିବା ଭଲ । ଦୁଇ ଦିନ ପୂର୍ବରୁ ଏପରି ଏକ ଘଟଣା ଘଟିଥିଲା ସମ୍ବଲପୁରରେ ଜେଲ ଛକରେ । କିଛି ସୁରତ ଫେରନ୍ତା ସମ୍ବଲପୁର ଦେଇ ବସ ଯୋଗେ ଅନ୍ୟ ଜିଲ୍ଲାକୁ ଯାଉଥିବା ବେଳେ ସମ୍ବଲପୁର ଜେଲ ଛକରେ ଓହ୍ଲାଇ ଫଳ କିଣିଥିଲେ । ଏହା ସହ ୧୭ରୁ ଉର୍ଦ୍ଧ୍ବ ବ୍ୟକ୍ତି ସେହି ଅଞ୍ଚଳରେ ମନଇଚ୍ଛା ବୁଲା ବୁଲି କରିଥିଲେ । ଯାହା ଦ୍ବାରା ସ୍ଥାନୀୟ ବାସିନ୍ଦା ଭୟଭୀତ ହେବା ସହ ପୋଲିସର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ସମ୍ବଲପୁରରୁ ବାଦଶାହା ଜୁସ୍ମନ ରଣା, ଇଟିଭି ଭାରତ