ସମ୍ବଲପୁର: ଶୁକ୍ରବାର ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହୋଇଥିବା ବେଳେ ସମ୍ବଲପୁର ଜିଲ୍ଲା ବିଜେପି ପକ୍ଷରୁ ଆଜି 8 ଟି ଜିଲ୍ଲା ପରିଷଦ ଜୋନରେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଗତ 19 ତାରିଖରେ ରେଢାଖୋଲ ଉପ-ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ 4ଟି ଜିଲ୍ଲା ପରିଷଦ ସିଟ ଓ 20 ତାରିଖ ରେ କୁଚିଣ୍ଡା ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଜେପି ପକ୍ଷରୁ 6ଟି ଜିଲ୍ଲା ପରିଷଦ ସିଟ ପାଇଁ ନାମାଙ୍କନପତ୍ର ଦାଖଲ ହୋଇ ସାରିଥିବା ବେଳେ ସମ୍ବଲପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବାକିଥିବା ଆଉ 8 ଟି ଜିଲ୍ଲା ପରିଷଦ ସିଟ ପାଇଁ ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ ହୋଇଛି ।
ସମ୍ବଲପୁର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ 8 ଟି ଜିଲ୍ଲା ପରିଷଦ ଜୋନ ପାଇଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିବା ସହ ବିଜେପିର ନାମାଙ୍କନ ପତ୍ର ଦାଖଲ ସମ୍ପୂର୍ଣ୍ଣ ହୋଇଛି । ରେଙ୍ଗାଲି ଜୋନ 1 ପାଇଁ ପ୍ରିୟମ୍ବଦା ବେହେରା, ରେଙ୍ଗାଲୀ ଜୋନ 2 ପାଇଁ ରାଧେଶ୍ୟାମ ବାରିକ,ମାନେଶ୍ବର ଜୋନ 1 ପାଇଁ ପିଙ୍କି ଓରାମ,ମାନେଶ୍ବର ଜୋନ 2 ପାଇଁ ଅହଲ୍ୟା ବାଗ, ଧନକଉଡା -1 ପାଇଁ ପ୍ରଶାନ୍ତ ବାରିକ , ଧନକଉଡା- 2 ପାଇଁ ଲିଲିଶ୍ରୀ ସରଭଙ୍ଗିଆ, ଯୁଜୁମୁରା ଜୋନ 1 ପାଇଁ ଟିକି ପ୍ରଧାନ ଓ ଯୁଜୁମୁରା ଜୋନ -2 ପାଇଁ କୈଳାସ ବାଗ ବିଜେପି ପକ୍ଷରୁ ଜିଲ୍ଲା ପରିଷଦ ସିଟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ରେଙ୍ଗାଲି ବିଧାୟକ ତଥା ରାଜ୍ୟ ବିଜେପି ଉପ-ସଭାପତି ନାଉରୀ ନାଏକ, କୁଚିଣ୍ଡାର ପୂର୍ବତନ ବିଧାୟକ ରବି ନାଏକ, ଜିଲ୍ଲା ବିଜେପି ସଭାପତି ଗିରିଷ ପଟେଲ, ଯୁବ ବିଜେପି ନେତା ମାନସ ବକ୍ସିଙ୍କ ସହ ପ୍ରମୁଖ ନେତା ନାମାଙ୍କନ ପତ୍ର ଦାଖଲ ସମୟରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହିଥିଲେ।
ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ