ସମ୍ବଲପୁର: ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ସମ୍ବଲପୁର ପୋଲିସର ଅଭିନଵ ପଦକ୍ଷେପ। ବୁଧବାର ସମ୍ବଲପୁର ପୋଲିସ 2ଟି ମହିଳା ପୋଲିସ ଥିବା ପିସିଆର ଭ୍ୟାନ ସେବାର ଶୁଭାରମ୍ଭ କରିଛି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ପିସିଆର ଭ୍ୟାନରେ ମହିଳା ପୋଲିସ କର୍ମଚାରୀ ହିଁ ରହିବେ। ଏହି 2 ପିସିଆର ଭ୍ୟାନ ସହ ବର୍ତ୍ତମାନ ସମ୍ବଲପୁର ଜିଲ୍ଲାରେ ପୋଲିସ ପିସିଆର ଭ୍ୟାନ ସଂଖ୍ୟା 15ରେ ପହଞ୍ଚିଛି। ଆଉ ଏଥର ସବୁ ପିସିଆର ଭ୍ୟାନରେ ଜିପିଏସ ସିଷ୍ଟମ ସଂଯୋଗ କରାଯାଇଛି।
ଏହା ସହ ବୁଧବାର 10ଟି ପାଟ୍ରୋଲିଂ ବାଇକ ପିସିଆର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏହି 10ଟି ବାଇକ ମଧ୍ୟରୁ 2ଟି ବାଇକ ମହିଳା ପୋଲିସ ପାଇଁ ସଂରକ୍ଷିତ ଅର୍ଥାତ ଏହି 2ଟି ବାଇକରେ ମହିଳା ପୋଲିସ କର୍ମଚାରୀ ହିଁ ରହିବେ। ଏହା ସହ ଏହି ସବୁ ପିସିଆର ଭ୍ୟାନ ଓ ବାଇକର ପରିଚାଳନା ପାଇଁଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି।
ବୁଧବାର ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ ସମ୍ବଲପୁର ଏସପି ଅଫିସ ସମ୍ମୁଖରେ 3ଟି ପ୍ରମୁଖ ପୋଲିସ ସେବାର ଶୁଭାରମ୍ଭ କରିଛନ୍ତି। 2ଟି ଜିପିଏସ ବ୍ୟବସ୍ଥା ଥିବା ମହିଳା ପିସିଆର ଭ୍ୟାନ, 10ଟି ପାଟ୍ରୋଲିଂ ବାଇକ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଏକ କଣ୍ଟ୍ରୋଲ ରୁମର ମଧ୍ୟ ଉଦଘାଟନ କରିଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ଓଡିଶା ପୋଲିସର ଉତ୍ତରାଞ୍ଚଳ ଡିଆଇଜି ଡ଼ିଆଇଜି ହିମାଂଶୁ ଲାଲଙ୍କ ବ୍ୟତୀତ ସମ୍ବଲପୁର ଏସପି କନୱାର ବିଶାଳ ସିଂ, ଅତିରିକ୍ତ ଏସ୍ପି ପ୍ରଦୀପ କୁମାର ମହାପାତ୍ରଙ୍କ ସହ ଜିଲ୍ଲା ପୋଲିସର ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଏହା ସହ ସହର ବିଭିନ୍ନ ବର୍ଗର ମହିଳା ଓ ପୁରୁଷ ମଧ୍ୟ ଏଥିରେ ସାମିଲ ହୋଇଥିଲେ। ଏହି ଅବସରରେ ସମ୍ବଲପୁର ପୋଲିସ ଏକ ହ୍ବାଟ୍ସଆପ୍ ଗ୍ରୁପ କରି ଗ୍ରୁପରେ ଜଣେ ବରିଷ୍ଠ ମହିଳା ପୋଲିସ ଅଧିକାରୀ, ସମସ୍ତ ପିସିଆରର ପୋଲିସ କର୍ମଚାରୀ ଓ ଵିଭିନ୍ନ ଶିକ୍ଷାନୁଷ୍ଠାନ, ମହିଳା ଓ ପଡ଼ାର ସ୍ବେଚ୍ଛାସେବୀ ମହିଳା ଓ ପୁରୁଷଙ୍କୁ ସାମିଲ କରିଛନ୍ତି।
ଯାହାଫଳରେ ଯେ କୌଣସି ସ୍ଥାନରେ ଯଦି ମହିଳାଙ୍କ ସହ ଅସଦାଚରଣ କି ଅନ୍ୟ ପ୍ରକାର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ ତାହେଲେ ଏହି ଗ୍ରୁପରେ ଜଣାଇବା କ୍ଷଣି କଣ୍ଟ୍ରୋଲ ରୁମରୁ ସେହି ସ୍ଥାନ ନିକଟରେ ଥିବା ପିସିଆର ଭ୍ୟାନକୁ ତତ୍କାଳୀନ ଚିହ୍ନଟ କରି ସେହି ସ୍ଥାନକୁ ପଠାଯାଇପାରିବ।
ମୁଖ୍ୟତଃ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ ଟେକ୍ନୋଲୋଜିର ସହାୟତା ନିଆଯାଉଥିବା କହିଛନ୍ତି ଡିଆଇଜି ହିମାଂଶୁ ଲାଲ। ଏହାସହ ସରକାରଙ୍କ '5T' ଓ 'ମୋ ସରକାର' ଯୋଜନାର ସଫଳ ରୂପାୟନ ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି ଡିଆଇଜି ହିମାଂଶୁ ଲାଲ ଜଣାଇଛନ୍ତି।
ସମ୍ବଲପୁରରୁ ବାଦଶାହା ଜୁସମନ୍ ରଣା, ଇଟିଭି ଭାରତ