ସମ୍ବଲପୁର: ଜିଲ୍ଲାରେ ଚାଷ କାର୍ଯ୍ୟ ଆରମ୍ଭ ନହେଉଣୁ ବଢିଛି ଚାଷୀ ସମସ୍ୟା । ମୌସୁମୀ ଆଗମନ ପରେ ଖରିଫ ଧାନଚାଷ ଆରମ୍ଭ କରିଛନ୍ତି ଚାଷୀ । ଧାନରୁଆ ବେଳକୁ ଆବଶ୍ୟକ ପଡ଼ିଥାଏ ଗ୍ରୋମର ଓ DAP ସାର । ହେଲେ ସମ୍ବଲପୁର ଭଳି ଚାଷୀ ପ୍ରଧାନ ଜିଲ୍ଲାରେ ସାରର କଳାବଜାରୀ ସହ ଅଭାବୀ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । ଏହାକୁ ଡିଲର ବିଭିନ୍ନ ଅଞ୍ଚଳର ଚାଷୀଙ୍କୁ ନେଇ ସଫେଇ ଦେଉଥିବା ବେଳେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଏଭଳି କୌଣସି ସମସ୍ୟା ନାହିଁ ବୋଲି କହିଛନ୍ତି ।
ସମ୍ବଲପୁର ସମବାୟ ସମିତିରେ ସରକାରୀ ଦରରେ ସାର ମିଳୁଛି । ହେଲେ ସେଠାରେ ସମସ୍ତ ଚାଷୀଙ୍କ ପାଇଁ ସାର ବ୍ୟବସ୍ଥା ନାହିଁ । ଫଳରେ ବାଧ୍ୟ ହୋଇ ଚାଷୀ ଡିଲରଙ୍କ ନିକଟକୁ ସାର ପାଇଁ ଧାଉଁଛି । ହେଲେ ସେଠାରେ ମଧ୍ୟ ଧାର୍ଯ୍ୟ ଦରରୁ ୫୦୦ ଟଙ୍କା ଅଧିକ ଦେଇ ଚାଷୀ ସାର କିଣୁଛି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲେ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳରେ କଳାବଜାରୀ ଅଧିକ ହେଉଛି ।
ଡିଲରଙ୍କ ପାଖରେ ସରକାର ବିଭିନ୍ନ କିସମ ସାର ପାଇଁ ଧାର୍ଯ୍ୟ କରିଥିବା ରେଟ୍ଚାର୍ଟ ଦେଖିବାକୁ ମିଳୁନାହିଁ । କେତେକ ସାର ସହ ଚାଷୀଙ୍କୁ ମାଇକ୍ରୋନ୍ୟୁଟ୍ରାଣ୍ଟ ଓ ନାନୋ ୟୁରିଆ ସାର କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ ହୋଇଛି । ଫଳରେ ବିନା କୌଣସି କାରଣରେ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ଚାଷୀ ।
ୟୁରିଆ ସାର ବସ୍ତା ପ୍ରତି ସରକାରୀ ହିସାବରେ 274 ଟଙ୍କା ଥିବା ବେଳେ ଏହା 500 ଟଙ୍କାରେ ବିକ୍ରି ହେଉଛି । ଗ୍ରୋମର ଦାମ 1400 ଥିବା ବେଳେ ଏହା 1800ରୁ 2000 ଟଙ୍କାରେ ବିକ୍ରି ହେଉଛି । DAP ସାରର ଦାମ 1400 ଥିବା ବେଳେ 1800ରୁ 2000ଟଙ୍କାରେ ବିକ୍ରି ହେଉଛି । ସେପଟେ ଏହି କଳାବଜାରୀକୁ ନେଇ ଚାଷୀ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ରାଜ୍ୟ ସରକାରଙ୍କ ପାଖରେ ୱେୟାର ହାଉସ ନଥିବାରୁ ଡିଲର ସାର ନିୟନ୍ତ୍ରିତ କରୁଥିବା ଅଭିଯୋଗ ହୋଇଛି ।
ଏଭଳି ଅଭିଯୋଗ ପରେ କିଛି ଅଲଗା କାରଣ ଦେଉଛନ୍ତି ଡିଲର । ଡିଲରଙ୍କ ମୁତାବକ ସରକାରୀ ନୀତି ନିୟମ ଅନୁସାରେ ସ୍ବଚ୍ଛତାର ସହ ସବୁ ସାର ବିକ୍ରି ହେଉଛି । ଅଣ ଜଳସେଚିତ ଅଞ୍ଚଳର ଚାଷୀ ବହୁ ପୂର୍ବରୁ ସାର କିଣି ନେଇଯାଇଥିବାରୁ ବର୍ତ୍ତମାନ ଜଳସେଚିତ ଅଞ୍ଚଳ ଚାଷୀଙ୍କ ପାଇଁ ସାର ଅଭାବ ହେଉଛି । ଏଥିପାଇଁ ବର୍ତ୍ତମାନ ବଜାରରେ ସାର ନାହିଁ ବୋଲି ଡିଲର କହିଛନ୍ତି ।
ସେପଟେ ଜିଲ୍ଲା କୃଷି ଅଧିକାରୀ ସମ୍ବଲପୁରରେ ସାରର ଅଭାବ ଭଳି କୌଣସି ସ୍ଥିତି ନଥିବା କଥା କହିଛନ୍ତି । ଜିଲ୍ଲାରେ 21ହଜାର ମେଟ୍ରିକ୍ ଟନ୍ ୟୁରିଆ ସାରର ଅବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 10,899 ମେଟ୍ରିକ୍ ଟନ୍ ୟୁରିଆ ଆସିଛି । 12500 ମେଟ୍ରିକ୍ ଟନ୍ DAP ସାରର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା 6245 ମେଟ୍ରିକ୍ ଟନ୍ ଆସିଛି । ତେଣୁ ଆଗକୁ ମଧ୍ୟ ଅସୁବିଧା ହେବନି ବୋଲି କୃଷି ଅଧିକାରୀ ସୂଚନା ଦେଇଛନ୍ତି ।
ଏହି ସମସ୍ୟା ଆଜିର କିମ୍ବା କାଲିର ନୁହେଁ ପ୍ରତି ବର୍ଷ ଚାଷୀ ଏଭଳି ସମସ୍ୟା ଭୋଗୁଥିବା ନଜିର ରହିଛି । ସମ୍ବଲପୁରରେ ସାର କଳାବଜାରୀ ନେଇ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ତେବେ ଏହାକୁ ସିଧାସିଧା ଖଣ୍ଡନ କରୁଛନ୍ତି ଡିଲର ଓ ଜିଲ୍ଲା କୃଷି ଅଧିକାରୀ । ତେବେ ଚାଷୀର ସମସ୍ୟାର ସମାଧାନ କିଭଳି ହେବ ତାହା ଚିନ୍ତାର ବିଷୟ ।
ସମ୍ବଲପୁରରୁ ବାଦଶାହ ଜୁଶ୍ମନ ରଣା, ଇଟିଭି ଭାରତ