ସମ୍ବଲପୁର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ନିଶା କାରବାର । ସମ୍ବଲପୁର ଜିଲ୍ଲାର ନାକଟିଦେଉଳ ଥାନା ଅଞ୍ଚଳର ହିତସରା ଜଙ୍ଗଲ ଭିତରେ ଗଞ୍ଜେଇ ଚାଷ କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ତିନି ଜଣଙ୍କୁ ଗିରଫ କରିଛି ପୋଲିସ । ଏହାସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ନାକଟିଦେଉଳ ଥାନା ଅନ୍ତର୍ଗତ ହିତସରା ଗାଁର ସୁମନ୍ତ ସାହୁ, ଶ୍ରୀବତ୍ସ ଦେହୁରୀ ଓ ଶ୍ରୀକର ଦେହୁରୀ ବୋଲି ଜଣାପଡିଛି । ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଏନେଇ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଗତ 9 ତାରିଖରେ ସମ୍ବଲପୁରର ହିତସରା ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇଥିଲା ପୋଲିସ । ପରେ ଜିଲ୍ଲା ପୋଲିସ, ଅବକାରୀ ଓ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ଭାବେ ହିତସରା ଜଙ୍ଗଲରେ ଚଢାଉ କରାଯାଇଥିଲା । ପରେ ଚାଷ ହୋଇଥିବା 3350ଟି ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା। ଜଙ୍ଗଲ ଭିତରେ 5ଟି ସ୍ଥାନରେ 31 ଡ଼ିସିମିଲ ଜମିରେ ଏହି ଗଞ୍ଜେଇ ଚାଷ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ 50 ଲକ୍ଷ 25 ହଜାର ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ