ସମ୍ବଲପୁର: ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ସିକିରଡ଼ି ଠାରେ ସ୍ଥିତ ଏଲଏଣ୍ଡଟି କମ୍ପାନୀର ପାନୀୟ ଜଳ ପ୍ରକଳ୍ପ ସାଇଟରୁ ଚୋରି ଘଟଣାରେ ବୁର୍ଲା ପୋଲିସ 9 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏନେଇ ହୀରାକୁଦ ଏସଡିପିଓ ସତ୍ୟବ୍ରତ ଦାସ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ 8 ତାରିଖ ରାତିରେ କିଛି ଅଜଣା ଲୋକ କମ୍ପାନୀର ସାଇଟକୁ ପଶି ସୁରକ୍ଷା କର୍ମୀ ଓ ଶ୍ରମିକ ମାନଙ୍କୁ ହତ୍ୟା ଧମକ ଦେଇ କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ଜିନିଷ ପତ୍ର ଚୋରି କରିବା ସହ କମ୍ପାନୀରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା । ଏନେଇ କମ୍ପାନୀର ଆଡ଼ମିନିଷ୍ଟ୍ରେଟିବ ଅଫିସର ମନୋଜ ସାବତ ବୁର୍ଲା ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।
ଏହି ଘଟଣାରେ ଶୁକ୍ରବାର ବୁର୍ଲା ପୋଲିସ 9 ଜଣଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ଗୋଟିଏ ଏଲଇଡି ଟିଭି, 2 ଟି Big LevelTS ମେସିନ,2 ଟି small Level TS ମେସିନ,ଗୋଟିଏ ଲେନଭୋ ମନିଟର,360 ଡିଗ୍ରୀ ସିସିଟିଭି କ୍ୟାମେରା ସିଷ୍ଟମ,5ଟନ କଟିଂ ଷ୍ଟିଲ,2 ଟି 12 Volt ବ୍ୟାଟେରୀ, ଗୋଟିଏ AC ସାମଗ୍ରୀ, ଗୋଟିଏ ଦ୍ରୋଣ କ୍ୟାମେରା,12 ଟି ହେଲୋଜେନ ଲାଇଟ, ବାୟୋ ମେଟ୍ରିକ୍ସ ମେସିନ,ଅଗ୍ନି ନିର୍ବାପକ ଯନ୍ତ୍ର ଆଦି ବହୁ ସାମଗ୍ରୀ ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି ।
ଇଟିଭି ଭାରତ, ସମ୍ବଲପୁର