ସମ୍ବଲପୁର: ରେଳଗାଡ଼ିରେ ଅଙ୍ଗନବାଡି । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ । ତେବେ କଥାଟା ଏହିଭଳି ଅଟେ । ସମ୍ବଲପୁରରେ ଥିବା ଏକ ଅଙ୍ଗନବାଡି କେନ୍ଦ୍ରକୁ ଏମିତି ସୁସଜ୍ଜିତ କରାଯାଇଛି ଯେ ଏହାକୁ ଦେଖିଲେ ଅବିକଳ ରେଳଗାଡି ପରି ଲାଗୁଛି । ଏହି ଅଙ୍ଗନବାଡିକୁ ସମ୍ବଲପୁରର ଏକ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଏମିତି ରୂପ ଦେଇଛନ୍ତି ।
ରେଳଗାଡିର ବଗି ପରି ହୋଇଛି ଅଙ୍ଗନବାଡି କେନ୍ଦ୍ର ଯାହା ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ଦୂରରୁ କେହି ଦେଖିଲେ ଅବିକଳ ରେଳଗାଡି ପରି ଦେଖାଯାଉଛି ଅଙ୍ଗନବାଡି କେନ୍ଦ୍ରର କୋଠା। ଛୋଟ ପିଲାଙ୍କୁ ଏହି କୋଠା ଟ୍ରେନର ଭ୍ରମ ସୃଷ୍ଟି କରୁଛି। ଏହି ଅଙ୍ଗନବାଡି କେନ୍ଦ୍ରଟି ହେଉଛି ସମ୍ବଲପୁର ମହାନଗର ନିଗମ ଅଧୀନସ୍ଥ ମୁଦିପଡା ଅଙ୍ଗନବାଡି କେନ୍ଦ୍ରର। ବର୍ତ୍ତମାନ ସରକାରୀ ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକତାର ଅଭାବ ଯୋଗୁଁ ଘରୋଇ ପ୍ଲେ ସ୍କୁଲ ଆଡକୁ ଅଧିକାଂଶ ଅବିଭାବକ ନିଜର ପିଲାଙ୍କୁ ପଠାଉଥିବାବେଳେ ଏହି ଭଳି ଛୋଟ ପିଲାଙ୍କୁ ଆକୃଷ୍ଟ କରିବାକୁ ଏହି ଡିଜାଇନରେ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ପେଣ୍ଟିଙ୍ଗ କରାଯାଇଛି। ବାହାର ପଟୁ ଅବିକଳ ରେଳଗାଡି ପରି ଦେଖାଯାଉଥିବାବେଳେ କୋଠା ଭିତରେ ବିଭିନ୍ନ ଚିତ୍ର ମାଧ୍ୟମରେ କୁନି କୁନି ପିଲାଙ୍କୁ ଶିକ୍ଷା ଦିଆଯିବାର ବ୍ୟବସ୍ଥା ରହିଛି।
ସମ୍ବଲପୁରର ମା ଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ସହରର ସରକାରୀ କାନ୍ଥରେ ଚିତ୍ର ଅଙ୍କନ କରିବାର ଦାୟିତ୍ୱ ପାଇଥିବାବେଳେ ଏହି କର୍ଯ୍ୟରେ 1600 ସ୍କୋୟାରଫୁଟ କାର୍ଯ୍ୟ ବଞ୍ଚିଯିବାରୁ ଏହି କାର୍ଯ୍ୟକୁ ସେମାନେ ଏହି ଅଙ୍ଗନବାଡି କେନ୍ଦ୍ରରେ ଲଗାଇଥିଲେ। ଆଉ ଅଙ୍ଗନବାଡି କେନ୍ଦ୍ରକୁ ରେଳଗାଡି ପରି ସଜାଇଥିଲେ ।
ସମ୍ବଲପୁରରୁ ବାଦଶାହ ଜୁସ୍ମନ ରାଣା,ଇଟିଭି ଭାରତ