ସମ୍ବଲପୁର: ଟ୍ରାକ୍ଟର ବ୍ୟାଟେରୀ ଚୋରି କରିବା ପଡିଲା ମହଙ୍ଗା । ବ୍ୟାଟେରୀ ଚୋରୀ କରୁଥିବା ବେଳେ ଧରା ପଡିଲା ଦୁଇ ଯୁବକ । ଧରା ପଡିଥିବା 2 ଯୁବକଙ୍କୁ ଲଣ୍ତା କରି ଚପଲ ମାଳ ପିନ୍ଧାଇେଲେ ଗାଁ ଲୋକେ । ଆଉ ତା ସହିତ ଦେଲେ ଉତ୍ତମ ମଧ୍ୟମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ଗୁଲୁଣ୍ଡା ଗାଁରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ଉଦ୍ଧାର କରିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହାବି ପଢନ୍ତୁ: ଆଶା ଦିଦି କହି ଶିଶୁ ଚୋରି କରୁଥିଲେ ମହିଳା, ଧରିଲା ବିଷମ କଟକ ପୋଲିସ
ସୂଚନା ଅନୁସାରେ ସମ୍ବଲପୁର ଜିଲ୍ଲା ଧମା ଥାନା ଗୁଂଡେରପୁର ଫାଣ୍ଡି ଅନ୍ତର୍ଗତ ଗୁଲୁଣ୍ଡା ଗାଁରେ ଗତ ବିଳମ୍ବିତ ରାତିରେ ଗାଁର ଅନୀଲ ବର୍ମା ନିଜ ଘର ନିକଟରେ ତାଙ୍କ ଟ୍ରାକ୍ଟର ରଖିଥିଲେ । ଏହି ସମୟରେ ୨ ଯୁବକ ସେଠାରେ ପହଞ୍ଚି ଟ୍ରାକ୍ଟର ବ୍ୟାଟେରୀ ଚୋରୀ କରୁଥିବା ବେଳେ ଧରାପଡି ଯାଇଥିଲେ । ଆଉ ତା ପରେ ଗାଁଲୋକେ ଉଭୟଙ୍କୁ କାବୁ କରି ଚପଳ ମାଳ ପିନ୍ଧାଇବା ସହ ଲଣ୍ଡା କରି ନିର୍ଦ୍ଧୁମ ମାଡ଼ ମାରିଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା । ଦୁଇ ଅଭିଯୁକ୍ତ ହେଲେ ମାନେଶ୍ବର ଅଞ୍ଚଳର ଡୁବୁରୁ ଫୁଲିଆ ଓ ବିଶାଲ ବାରଭାୟା ବୋଲି ଜଣାପଡିଛି । ତେବେ ଉଭୟଙ୍କ ନାଁରେ ପୂର୍ବରୁ ଚୋରୀ, ଦାଦାବଟି ଆଦାୟ, ଧମକ ଚମକ ଦେଇ ଟଙ୍କାଲୁଟ ଅଭିଯୋଗ ରହିଛି । ତେବେ ଏନେଇ ପୋଲିସ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି l ସେପଟେ, ସ୍ଥାନୀୟ ଅଞ୍ଚଳରେ ଚୋରଙ୍କ ପ୍ରାଦୁର୍ଭାବ ବଢୁ ଥିବା ବେଳେ ରାତିରେ ପୋଲିସ ପାଟ୍ରୋଲିଂ ଜୋରଦାର କରିବାକୁ ଦାବି ହୋଇଛି ।
ଇଟିଭି ଭାରତ,ସମ୍ବଲପୁର