ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଘଣ୍ଟିବୁଡ଼ ଗାଁରେ ଅଘଟଣ । ବଜ୍ରାଘାତ ଘଟି ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ବଜ୍ରାଘାତରେ ଦୁଇ କେନ୍ଦୁପତ୍ର କର୍ମଚାରୀଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି ।
ସୂଚନା ମୁତାବକ, ଘଣ୍ଟିବୁଡ଼ ଗାଁର କେନ୍ଦୁପତ୍ର କର୍ମଚାରୀମାନେ ବୁଦା କାଟିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ସଂନ୍ଧ୍ୟା ପ୍ରାୟ ୫ଟା ବେଳେ ଘଡଘଡି ସହ ବର୍ଷା ଆରମ୍ଭ ହୋଇଯାଇଥିଲା । ସମସ୍ତେ ବର୍ଷାରୁ ବଞ୍ଚିବା ପାଇଁ ଗଛ ତଳେ ଆଶ୍ରୟ ନେଇଥିବା ବେଳେ ଗୋଟିଏ ଗଛ ତଳେ ତିନି ଜଣ ବାବୁଲାଲ କିଷାନ, ମଙ୍ଗଲୁ ନାଏକ ଏବଂ ରଘୁ ନନ୍ଦନ କିଷାନ ଆଶ୍ରୟ ନେଇଥିଲେ । ହଠାତ ଗଛକୁ ବିଜୁଳି ମାରିଥିଲା ଯାହାଫଳରେ ବାବୁଲାଲ ଏବଂ ମଙ୍ଗଲୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିବା ବେଳେ ରଘୁନନ୍ଦନ ଗୁରୁତର ଆହତ ହୋଇଥିଲେ ।
ଅନ୍ୟ କର୍ମଚାରୀ ମାନେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ କୁମୁଟିମୁଣ୍ଡା ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।
ଏହା ଛଡା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କୂଅପଥର ମାଡ ହୋଇଥିବା ସହ ବର୍ଷା ମଧ୍ୟ ହୋଇଛି । ବଣେଇ ଉପଖଣ୍ଡ ଜକେଇକେଲା ଗ୍ରାମରେ ପ୍ରବଳ ବର୍ଷା ଏବଂ କୁଆପଥର ମାଡରେ ବ୍ୟାପକ ଫସଲ ହାନି ହୋଇଥିବାର ସୂଚନା ମିଳିଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ