ରାଉରକେଲା: ଟ୍ରାଫିକ ସଚେତନତା ବାର୍ତ୍ତା ନେଇ ଆରମ୍ଭ ହେଲା ଶୋଭାଯାତ୍ରା । ଯାନବାହାନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରିବା, ଦୁଇ ଚକିଆ ଯାନ ଚଳାଇବା ବେଳେ ହେଲମେଟ ପିନ୍ଧିବା, ଚାରି ଚାକିଆ ଯାନ ଚଳାଇବା ବେଳେ ସିଟ ବେଲ୍ଟ ବାନ୍ଧିବା ଏବଂ ସର୍ବୋପରି ଟ୍ରାଫିକ ନିୟମକୁ ପାଳନ କରିବାର ବାର୍ତ୍ତା ଦେଇ ରାଉରକେଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ସଚେତନତା ଶୋଭାଯାତ୍ରା କରାଯାଇଛି ।
ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ ରାଉରକେଲା ଏସପି କେ ଶିବା ସୁବ୍ରମଣି । ଏହି ଶୋଭାଯାତ୍ରାରେ ପୋଲିସର ବରିଷ୍ଠ ଅଧିକାରୀଙ୍କ ସମେତ ଟ୍ରାଫିକ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ । ସହରର ଅନ୍ୟତମ ଅଗ୍ରଣୀ ସାମାଜିକ ସଂସ୍ଥା ସାଇ ପରିବାର ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।
ରାଉରକେଲା ପୋଲିସ ମୁଖ୍ୟାଳୟରୁ ଶୋଭାଯାତ୍ରା ବାହାରି ସହରର ମୁଖମାର୍ଗ ଦେଇ ବିଶ୍ରାଛକରେ ପହଞ୍ଚିବା ପରେ ସେଠାରେ ଚାଳକ ମାନଙ୍କୁ ସଡକ ସୁରକ୍ଷା ଉପରେ ସଚେତନ କରାଯାଇଥିଲା ।
ନୂତନ ମୋଟରଯାନ ଆଇନ କଡାକଡ଼ି କରାଯାଇଥିଲେ ମଧ୍ୟ ଟ୍ରାଫିକ ନିୟମ ଉଲ୍ଲଂଘନ ବେଶ ପରିଲକ୍ଷିତ ହେଉଥିବାରୁ ଲୋକଙ୍କ ମନରେ ସଚେତନତା ଭାବ ଆଣିବାକୁ ଏପରି କାର୍ଯ୍ୟକ୍ରମର ଆବଶ୍ୟକତା ରହିଥିବା ରାଉରକେଲା ଏସପି କହିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ