ରାଉରକେଲା: ଲକଡାଉନ ପରିସ୍ଥିତିରେ ଅନେକ ନିଜ ରୋଜଗାର ହରାଇ ବସିଥିବା ବେଳେ ଚାକିରୀ ଅପେକ୍ଷାରେ ଥିବା ଯୁବପୀଢିଙ୍କୁ ନିରାଶ ହେବାକୁ ପଡିଛି । ଏମିତିରେ ରାଜ୍ୟର ସହରାଞ୍ଚଳରେ ରହୁଥିବା ଗରିବ, ଶ୍ରମିକ ତଥା ଦିନ ମଜୁରିଆଙ୍କୁ କାମ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଅର୍ବାନ ୱେଜ୍ ଏମ୍ପ୍ଲୟମେଣ୍ଟ ଇନିସିଏଟିଭ୍ (UWEI) । ଏହି ଯୋଜନା ଅନୁଯାୟୀ ରାଉରକେଲା ସହରରେ ଜୋରସୋରରେ ଆଗେଇ ଚାଲିଛି କାମ ।
ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ରାଉରକେଲା ମହାନଗର ନିଗମ ପକ୍ଷରୁ 325ଟି ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ 325ଟି ପ୍ରକଳ୍ପ ପାଇଁ କାର୍ଯ୍ୟାଦେଶ ମିଳିଛି। ଯେଉଁଥିରୁ ଏବେ ସୁଦ୍ଧା 95ଟି ପ୍ରକଳ୍ପ କାମ ଶେଷ ହୋଇଗଲାଣି । ଏହି ଯୋଜନା ମାଧ୍ୟମରେ ମୋଟ 1 ଲକ୍ଷରୁ ଅଧିକ କାର୍ଯ୍ୟଦିବସ ସୃଷ୍ଟି କରିବାର ଯୋଜନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ 30 ହଜାର କାର୍ଯ୍ୟଦିବସ ସୃଷ୍ଟି ହୋଇପାରିଛ । ଏହିକ୍ରମରେ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ବଳକା ଲକ୍ଷ୍ୟ ପୂରଣ ହେବ ବୋଲି ଆଶା କରାଯାଉଛି ।
ଏହି ଯୋଜନାରେ ରାସ୍ତାଘାଟ ସୌନ୍ଦର୍ଯ୍ୟୀକରଣ, ନାଳ ସଫା, ପାର୍କ ଉନ୍ନତିକରଣ, ପୋଖରୀ ପୁନରୁଦ୍ଧାର, ବର୍ଷା ଜଳ ସଂରକ୍ଷଣ, ମାଇକ୍ରୋ ଆକ୍ଟିଭିଟି ସେଣ୍ଟର୍ ନିର୍ମାଣ, ୱାଲ୍ ପେଣ୍ଟିଂ ଆଦି କାର୍ଯ୍ୟ ହାତକୁ ନିଆଯାଇଛି । ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ରାଉରକେଲା ମହାନଗର ନିଗମକୁ 5 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ନିଗମ ଅନ୍ତର୍ଗତ ସମସ୍ତ ୱାର୍ଡରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ଏହି ସବୁ କାର୍ଯ୍ୟ ସମ୍ପାଦନ ହେଉଛି । କେବଳ ସେତିକି ନୁହେଁ, ସମସ୍ତ କାର୍ଯ୍ୟର ତଦାରଖ ମଧ୍ୟ ସମ୍ପୃକ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀମାନେ ହିଁ କରୁଛନ୍ତି ।
କାର୍ଯ୍ୟ ସମ୍ବନ୍ଧୀୟ ସମସ୍ତ ପାରିଶ୍ରମିକ ଏବଂ ଖର୍ଚ୍ଚ ବାବଦ ଅର୍ଥ ସିଧା ନିୟୋଜିତ ଶ୍ରମିକ ଏବଂ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଉଛି । ଏହି ଯୋଜନା ମାଧ୍ୟମରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କ ଜରିଆରେ ମହିଳା ସଶକ୍ତିକରଣକୁ ସୁନିଶ୍ଚିତ କରାଯାଇପାରିଥିବା ସହ ଗରିବ, ଶ୍ରମିକ, ଦିନ ମଜୁରିଆମାନଙ୍କୁ ରୋଜଗାର ଯୋଗାଇବାର ମୂଳ ଲକ୍ଷ୍ୟ ମଧ୍ୟ ସାଧିତ ହୋଇପାରୁଛି । ସେପଟେ ଏହି ସବୁ ଯୋଜନାରେ ସହରର ମଧ୍ୟ ଉନ୍ନତି ହେଉଥିବା ସୂଚନା ଦେଇଛନ୍ତି ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ