ରାଉରକେଲା: ସୁନ୍ଦରଗଡ ଜିଲ୍ଲାରେ ଦିନକୁ ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଗଣେଶ ପୂଜା ପାଳନ ଉପରେ କଟକଣା ଲାଗୁ କରାଯାଇଛି । ସାମୁହିକ ଭାବେ ଗଣେଶ ପୂଜା ପାଳନ ନକରିବାକୁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ନିର୍ଦ୍ଦେଶ ଦେଇଛନ୍ତି ।
ପୂଜା ମଣ୍ଡପ , କ୍ଲବ , ଶିକ୍ଷାନୁଷ୍ଠାନ , ମନ୍ଦିର ଆଦି ସ୍ଥାନରେ ଗଣେଶ ପୂଜା ସାମୁହିକ ଭାବେ ପାଳନ କରାଯାଇପାରିବ ନାହିଁ । ତେବେ ନିଜ ନିଜ ଘରେ ପରିବାର ସଦସ୍ୟଙ୍କ ସହ ଗଣେଶ ପୂଜା ପାଳନ କରାଯାଇପାରିବ । ଅନ୍ୟପଟେ କୋଭିଡ 19 ଲାଗି କଟକଣାର ଆଶଙ୍କା କରି ପୂର୍ବରୁ ମୂର୍ତ୍ତି କାରିଗର ମାନେ ବଡ ଆକାରର ଗଣେଶ ମୂର୍ତ୍ତି ନିର୍ମାଣ କରୁନାହାନ୍ତି । ରାଉରକେଲାରେ ଛୋଟ ବଡ଼ କରି 50ରୁ ଉର୍ଦ୍ଧ୍ବ ସ୍ଥାନରେ ଗଣେଶଙ୍କ ମୂର୍ତ୍ତି ତିଆରି ଚାଲିଛି । ହେଲେ ସେମାନେ କେବଳ ଛୋଟଛୋଟ ଗଣେଶ ମୂର୍ତ୍ତି ତିଆରି କରୁଛନ୍ତି । ତାହା ବି ବିକ୍ରି ହେବକି ନାହିଁ ତାକୁ ନେଇ କାରିଗର ମାନେ ସନ୍ଦେହ ପ୍ରକାଶ କରିଛନ୍ତି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ