ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ସବଡିଭିଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନ। ଆଜି(ମଙ୍ଗଳବାର) ସହକାରୀ ଯନ୍ତ୍ରୀଙ୍କ ସରକାରୀ ବାସଭବନ ସହ ଅନ୍ୟ 5ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ବିଚାରପତିଙ୍କ ନିର୍ଦ୍ଦେଶରେ ରାଉରକେଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି ।
ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ସରକାରୀ ବାସଭବନ, ଦେବଗଡ଼ ଜିଲ୍ଲା କେନ୍ଦୁଘାଟରେ ଥିବା ଫାର୍ମ ହାଉସ, ଦେବଗଡ଼ ଜିଲ୍ଲା ତାବଡ଼ାରେ ଥିବା ପୈତୃକ ବାସ ଭବନ, ଦବଗଡ଼ ସହରରେ ଥିବା ସହକାରୀ ଯନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ବାସ ଭବନ, ଅନୁଗୋଳରେ ଥିବା ସମ୍ପର୍କୀୟଙ୍କ ବାସଭବନ ଓ ଲୁହୁରାଢିପାରେ ଅଫିସ ଚ୍ୟାମ୍ବର ଉପରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ। ଅନୈତିକ ଉପାୟରେ ସହକାରୀ ଯନ୍ତ୍ରୀ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
ଏହାକୁ ନେଇ ରାଉରକେଲା ଭିଜିଲାନ୍ସ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ,"ଏକ ସମୟରେ ସୁନ୍ଦରଗଡ଼ ସବଡିଭିଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀ ନାରାୟଣ ପ୍ରଧାନଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ଏଥିପାଇଁ ତାଙ୍କ ବିରୋଧରେ ସର୍ଚ୍ଚ ୱାରେଣ୍ଟ ଜାରି ହୋଇଥିଲା। ଏହସହ ରାଉରକେଲା ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ବିଚାରପତି ନିର୍ଦ୍ଦେଶ ଦେଇଥିଲେ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ