ରାଉରକେଲା: ରାତି ପାହିଲେ ଜନ୍ମାଷ୍ଟମୀ । ଧରାଧାମରେ ଅବତରଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ଯାହାକୁ ନେଇ ସମସ୍ତ ହିନ୍ଦୁ ମାନଙ୍କ ଘରେ ଓ ମନ୍ଦିରରେ ଏହି ପର୍ବକୁ ଅତି ଧୂମଧାମରେ ପାଳନ କରାଯାଇଥାଏ । ହେଲେ କୋରୋନା ସଙ୍କଟ ମସୟରେ ଚଳିତବର୍ଷ ଏହାକୁ ଅତି ସାଧାରଣ ସହକାରେ ନିଜ ଘରେ ରହି ପାଳନ କରିବେ ଲୋକେ ।
ତେବେ ଏହି ସମୟରେ କୁନି କୃଷ୍ଣଙ୍କୁ ସଜାଇ ଦୋଳିରେ ଝୁଲାଇବା ପାଇଁ ଫୁଲର ଆବଶ୍ୟକତା ବେଶ ଅଧିକ ରହିଥାଏ । ତେଣୁ ଦୀର୍ଘ 5 ମାସରୁ ଉର୍ଦ୍ଧ୍ବ ଧରି ଫୁଲ ବ୍ୟବସାୟ ବନ୍ଦ ପଡିଥିବାବେଳେ, ବହୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି ବ୍ୟବସାୟୀ । ଆଉ ଏହି ଜନ୍ମାଷ୍ଟମୀ ସମୟରେ କିଛି ଫୁଲ ବେପାରର କରି ଦୁଇ ପଇସା ଭଲ ଆୟ କରିବେ ବୋଲି ଆଶା ରଖିଛନ୍ତି ଫୁଲ ବେପାରୀ ମାନେ ।
ଯାହାକୁ ନେଇ ସେମାନେ ଭଗବାନ ଶ୍ରୀକୃଷ୍ଣଙ୍କ ପାଇଁ ଫୁଲର ଦୋଳି ପ୍ରସ୍ତୁତ କରୁଛନ୍ତି। ବଡ ଆକାରରେ ଚଳିତବର୍ଷର ଜନ୍ମାଷ୍ଟମୀ ପାଳନ ନ କରାଗଲେ ମଧ୍ୟ ଲୋକେ ଏହି ଦୋଳି କିଣି ଘରେ ପୂଜା କରିବେ ବୋଲି ଆଶା ରହିଛି ।
କୋଲକାତାରୁ ମଗାଯାଇଥିବା ଫୁଲ ଖରାପ ହେଉଛି। ହେଲେ ମଧ୍ୟ ଜନ୍ମାଷ୍ଟମୀରେ ଫୁଲ ବ୍ୟବସାୟୀ ସାହସ କରି ଫୁଲ କାମ ଆରମ୍ଭ କରିଛନ୍ତି। ଫୁଲ ବ୍ୟବସାୟୀ ମାନଙ୍କ ପାଖରେ କୌଣସି କାମ ନଥିବାବେଳେ, ଏହି ଜନ୍ମାଷ୍ଟମୀ ଏକ ଦୀପ ଶୀଖା ପରି ପ୍ରଜ୍ବଳିତ ହୋଇଛି।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ