ରାଉରକେଲା: ଜାତୀୟ ଅନୁସୂଚିତ ଜନଜାତି ଆୟୋଗ ଓସିଏଲ ଖଣି ପାଇଁ ଜମି ଅଧିଗ୍ରହଣ ଘଟଣାରେ ସୁନ୍ଦରଗଡ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରିଛନ୍ତି । ଏହା ସହ 30 ଦିନ ମଧ୍ୟରେ ନୋଟିସର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୁନ୍ଦରଗଡ଼ ପେଶା ଗ୍ରାମସଭାର ଆବାହକ ସିପ୍ରିଆନ୍ ୱିଲିୟମ କିରୋଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳଙ୍କୁ ଏହି ନୋଟିସ ଜାରି କରାଯାଇଛି ।
ଓସିଏଲ ଖଣି ପାଇଁ 997.61 ଏକର ଜମି ପାଇଁ ଅଧିଗ୍ରହଣ କରାଯିବ । ଏନେଇ ଆସନ୍ତାକାଲି (26 ଜାନୁଆରୀ) ରାଜଗାଙ୍ଗପୁର ତଥା କୁତ୍ରା ବ୍ଲକର କଟଂ, କୁକୁଡ଼ା, ଆଲାଣ୍ଡା, ଝଗରପୁର ଓ କେଶ୍ରମାଲ ପଞ୍ଚାୟତରେ ଗ୍ରାମସଭା ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ନୋଟିସ ଜାରି କରାଯାଇଛି ।
ଜମି ଅଧିଗ୍ରହଣ ନେଇ ଗ୍ରାମସଭାରେ ପ୍ରସ୍ତାବ ଆଣିବା ପାଇଁ ଉପଜିଲ୍ଲାପାଳ କରିଥିବା ଚିଠିକୁ ବିରୋଧ କରିଛନ୍ତି ବିଭିନ୍ନ ଆଦିବାସୀ ସଂଗଠନ । କୌଣସି ଆଇନ ପାଳନ କରାନଯାଇ ଜମି ଅଧିଗ୍ରହଣ କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ଏହାସହ ଜମି ହରାଇବାକୁ ଥିବା ଲୋକଙ୍କ ପ୍ୟାକେଜ ସମ୍ପର୍କରେ କିଛି ସ୍ପଷ୍ଟ ନ କରି ଗ୍ରାମସଭାରେ ଆଲୋଚନା ପାଇଁ ପ୍ରଶାସନର ପ୍ରସ୍ତାବକୁ ବିରୋଧ କରାଯାଇଛି ।
ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ