ରାଉରକେଲା: ବୁଧବାରଠୁ ଆରମ୍ଭ ହୋଇଛି ରାଉରକେଲା ବନ୍ଧମୁଣ୍ଡା ଏ କେବିନ ନିକଟରେ ରେଳବାଇର କାର୍ଯ୍ୟ । ତେବେ ଅନୁସୂଚିତ ଜନଜାତି ଆୟୋଗର ନିର୍ଦ୍ଦେଶକୁ ପାଳନ କରାନଯାଉଥିବା ଅଭିଯୋଗ କରି ସ୍ଥାନୀୟ ବିସ୍ଥାପିତ ମାନେ ରେଳବାଇର ଏକତରଫା କାମକୁ ବିରୋଧ କରିଛନ୍ତି । ଫଳରେ ଏନେଇ ସ୍ଥାନୀୟ ବିଧାୟକ ଶଙ୍କର ଓରାମ ଏଡିଏମ ଯାଦୁଲ୍ଲା ବିଜୟଙ୍କୁ ଭେଟି ଆୟୋଗର ନିର୍ଦ୍ଦେଶକୁ ଲାଗୁ କରି ବିସ୍ଥାପିତ ମାନଙ୍କୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି ।
ସେହି ଅଞ୍ଚଳର ବିସ୍ଥାପିତ ମାନେ ବିଧାୟକ ଶଙ୍କର ଓରାମ ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ସହିତ ପୂର୍ବରୁ ଏଡିଏମ ଯାଦୁଲ୍ଲା ବିଜୟଙ୍କୁ ଦେଖା କରି ନିଜ ଦାବି ଉପସ୍ଥାପନ କରିଥିଲେ । ପରେ ଏଡିଏମ ଏହା ସ୍ପଷ୍ଟ କରିଥିଲେ ଯେ, ବିସ୍ଥାପିତ ମାନେ ତାଙ୍କ ଜମି ତଥା ଖାତା ସହିତ ପରିବାରର ବଂଶବଳୀ ବିବରଣୀ ଦାଖଲ କରିବେ । ଯାହାର କି ତହସିଲଦାର ଯାଞ୍ଚ କରିବେ । ହେଲେ ଏ ସମ୍ବନ୍ଧରେ ବିସ୍ଥାପିତ ମାନେ କହୁଛନ୍ତି ଯେ ସେମାନେ ସମସ୍ତ ବିବରଣୀ ଦେଇସାରିଛନ୍ତି । ହେଲେ ଏଡିଏମ ଆଉଥରେ ଏହି ସବୁ ଦାୟର କରିବାକୁ କହୁଛନ୍ତି ।
ରେଳବାଇ ଦ୍ବାରା ଆରମ୍ଭ କରାଯାଇଥିବା କାମ ଅଟକାଇବା ପାଇଁ ହୋଇଥିବା ଦାବି ଉପରେ ଏଡିଏମ ସ୍ପଷ୍ଟ କରିଥିଲେ କି RPDAC ବୈଠକ ଶୀଘ୍ର କରିବା ପାଇଁ RDCକୁ ଚିଠି ଲେଖିଛନ୍ତି । ତଥା ଏହି ବୈଠକ ପରେ ହିଁ ବହୁତ କଥା ଉପରେ ନିଷ୍ପତ୍ତି ହୋଇପାରିବ । ରାଜ୍ୟ ସରକାରଙ୍କ ଏପରି ମନମୁଖୀ କାର୍ଯ୍ୟକୁ ନେଇ ବିସ୍ଥାପିତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।
ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ